Thu. Oct 23rd, 2025

ନ୍ୟୁଜ ଡେକ୍ସ : ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ମସ୍ତିଷ୍କ ଅନ୍ୟତମ। ଏହା ସୁସ୍ଥ ରହିଲେ ଆମର ଶାରୀରିକ ପ୍ରକ୍ରିୟା ସୁଚାରୁରୂପେ ଚାଲିଥାଏ। ମସ୍ତିଷ୍କ ସମ୍ପର୍କିତ ରୋଗ, ତାହାର କାରଣ ଏବଂ ଚିକିତ୍ସା ବିଷୟରେ ଜନସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜୁଲାଇ ୨୨କୁ ବିଶ୍ୱ ମସ୍ତିଷ୍କ ଦିବସ ଭାବରେ ପାଳନ କରାଯାଇଥାଏ।ଚଳିତବର୍ଷର ବିଷୟବସ୍ତୁ ରହିଛି “ସମସ୍ତ ବୟସର ଲୋକଙ୍କ ପାଇଁ ମସ୍ତିଷ୍କ ସ୍ୱାସ୍ଥ୍ୟ” ।

ଏହି ଦିବସ ପାଳନ ଦ୍ବାରା ମନୁଷ୍ୟର ମସ୍ତିଷ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଏବଂ ତୁରନ୍ତ ଷ୍ଟ୍ରୋକ୍ ପାଇଁ ଚିକିତ୍ସା ତଥା ମୁଣ୍ଡରେ ଲାଗିଥିବା ଆଘାତର ଯତ୍ନ ସମ୍ବନ୍ଧୀୟ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ । ଆଜିକାଲି ବଦଳୁଥିବା ଦୈନନ୍ଦିନ ଜୀବନଶୈଳୀ ଯୋଗୁଁ ଆମ ସ୍ବାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପଡୁଛି । ଡାଇବେଟିସ, ବ୍ରେନ ଷ୍ଟ୍ରୋକ, କୋଲେଷ୍ଟ୍ରୋଲ, ହୃଦଘାତ ବୟସ୍କ ବ୍ୟକ୍ତିଙ୍କ ସହିତ କମ୍ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଅଧିକମାତ୍ରାରେ ଦେଖିବାକୁ ମିଳୁଛି । ଯାହା ଦ୍ବାରା ଅକାଳରେ ଅମୂଲ୍ୟ ଜୀବନ ଚାଲିଯାଉଛି । ଆଜିର ବ୍ୟସ୍ତବହୁଳ ଜୀବନଶୈଳୀରେ ବିଶ୍ରାମହୀନ କାର୍ଯ୍ୟଧାରା ହେତୁ ଉଚ୍ଚ ରକ୍ତଚାପ, ନିଦ୍ରାହୀନତା ଓ ମେଦବହୁଳତା ପ୍ରାୟତଃ ସାଧାରଣ ହୋଇଗଲାଣି।

ଧୂମପାନ ଓ ମଦ୍ୟପାନ ମଧ୍ୟ ବଢ଼ିଚାଲିଛି। ଏସବୁ ମସ୍ତିଷ୍କଘାତର (ବ୍ରେନ୍‌ ଷ୍ଟ୍ରୋକ୍‌) କାରଣ। ଷ୍ଟ୍ରୋକ୍ ପରେ ଅସାବଧାନତା ହେତୁ ରୋଗୀର ମୃତ୍ୟୁ ହେଉଛି କିମ୍ବା ଅନେକ ସମୟରେ ରୋଗୀ ଶଯ୍ୟାଶାୟୀ ହୋଇ ବଞ୍ଚିରହି ଦୀର୍ଘ ସମୟ ଯନ୍ତ୍ରଣା ପାଉଛି। ଏହାର ପ୍ରାଥମିକ ଲକ୍ଷଣ ହାତଗୋଡ଼ ଓ ଶରୀର ଝିମ୍‌ଝିମ୍‌ ହେବା, ମୁଣ୍ଡ ଘୂରାଇ ଅନ୍ଧାର ଦେଖାଯିବା, ମୁହଁ ବଙ୍କା ହୋଇଯିବା ଓ କଥା ଅସ୍ପଷ୍ଟ ହେବା। ଏଭଳି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ନ୍ୟୁରୋଲୋଜି ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

Leave a Reply

Your email address will not be published. Required fields are marked *