ନ୍ୟୁଜ ଡେକ୍ସ : ଆସନ୍ତା ୨୯ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ପୂର୍ବ ପ୍ରସ୍ତୁତି ସ୍ୱରୂପ ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ସମ୍ପନ୍ନ ହେବ। ଏହି ଅବସରରେ ଦଇତାପତି ସେବକମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିବା ସହ ତାଙ୍କ ସାନିଧ୍ୟ ଲାଭ କରିବେ।
ଆଜିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଦଇତାପତିମାନଙ୍କ ଗୋଷ୍ଠୀଗତ ସେବା ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗର ରକ୍ଷକ ଭାବେ ପରିଚିତ ଦଇତାପତି ସେବକମାନେ ଦେବସ୍ନାନ ପୂର୍ଣ୍ଣିମାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପ୍ରମୁଖ ଗୁପ୍ତ ଓ ପାରମ୍ପରିକ ନୀତି ସମ୍ପାଦନ କରିଥାନ୍ତି।ପରମ୍ପରା ଅନୁସାରେ ଦେବସ୍ନାନ ପୂର୍ଣ୍ଣିମା, ନବଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ଭଳି ସମସ୍ତ ପ୍ରମୁଖ ନୀତି ଦଇତାପତି ସେବକମାନଙ୍କ ଦ୍ୱାରା ସମ୍ପନ୍ନ ହୋଇଥାଏ।
ଦଇତା ପ୍ରବେଶ ପରେ ଆସନ୍ତାକାଲି ବଡ଼ସିଂହାର ଭୋଗ ଓ ପହୁଡ଼ ଆଳତି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆବୃତ କରାଯିବ। ଏହାପରେ ଦଇତା ସେବକମାନେ ବାହୁଟକଣ୍ଟ ନୀତି ପାଳନ କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ କୋଠ ସୁଆସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବା କାର୍ଯ୍ୟ ସମ୍ପନ୍ନ କରିବେ। ଏହା ଶେଷ ହେବା ପରେ ଦଇତାପତିମାନେ ପ୍ରଭୁଙ୍କ ସେନାପଟା ବାନ୍ଧିବା ନୀତି ପାଳନ କରିବେ। ଏହି ସମସ୍ତ ନୀତି ସହିତ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ପରବର୍ତ୍ତୀ ରଥଯାତ୍ରା ପର୍ବର ଧାର୍ମିକ କାର୍ଯ୍ୟକ୍ରମ ଆରମ୍ଭ ହେବ।

