ନ୍ୟୁଜ ଡେକ୍ସ : ଆନ୍ତର୍ଜାତୀୟ କ୍ରିକେଟ ଇତିହାସରେ ଏକ ଅଦ୍ଭୁତ ଓ ଦୁର୍ଲଭ ସଫଳତା ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ଗେଡେ ପ୍ରିୟଦାନା। ସେ ପୁରୁଷ ଆନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ବୋଲର ଭାବେ ଗୋଟିଏ ଓଭରରେ ୫ଟି ୱିକେଟ ନେଇ ଇତିହାସ ଗଢ଼ିଛନ୍ତି। କମ୍ବୋଡିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସେ ଏହି ଅସାଧାରଣ କୃତିତ୍ୱ ସ୍ଥାପନ କରିଛନ୍ତି।ମ୍ୟାଚ୍ରେ ୧୬୮ ରନର ଲକ୍ଷ୍ୟକୁ ପିଛା କରୁଥିବା କମ୍ବୋଡିଆ ଦଳ ୧୫ ଓଭର ଶେଷରେ ୫ ୱିକେଟ ହାରାଇ ୧୦୬ ରନ କରିଥିଲା।
ଏହା ପରେ ୧୬ତମ ଓଭର ବୋଲିଂ କରିବାକୁ ଆସିଥିଲେ ଗେଡେ ପ୍ରିୟଦାନା। ଓଭରର ପ୍ରଥମ ୩ଟି ବଲରେ ସେ କ୍ରମେ ଶାହ ଅବରାର ହୁସେନ, ନିର୍ମଳଜିତ ସିଂ ଓ ଚେଥୋଏନ ରଥାନକଙ୍କ ୱିକେଟ ନେଇ ଦର୍ଶକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲେ।ଚତୁର୍ଥ ବଲରେ କୌଣସି ରନ ଆସିନଥିବା ବେଳେ, ପଞ୍ଚମ ଓ ଷଷ୍ଠ ବଲରେ ସେ ମାଗଡୋରା ସେକ ଓ ପେଲ ବେନ୍ନାକଙ୍କୁ ଆଉଟ କରି ଗୋଟିଏ ଓଭରରେ ୫ଟି ୱିକେଟ ନେଇ ଇତିହାସ ରଚିଥିଲେ। ପୁରୁଷ କ୍ରିକେଟ ଇତିହାସରେ ଏପରି ଘଟଣା ପୂର୍ବରୁ କେବଳ ଦୁଇଥର ଦେଖିବାକୁ ମିଳିଛି। ୨୦୧୩ ଭିକ୍ଟ୍ରି ଡେ ଟି୨୦ କପରେ ଅଲ ଅମୀନ ହୁସେନ ଓ ୨୦୧୯ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଅଭିମନ୍ୟୁ ମିଥୁନ ଗୋଟିଏ ଓଭରରେ ୫ ୱିକେଟ ନେଇଥିଲେ। ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ତଥାପି ପୂର୍ବରୁ କେହି ମଧ୍ୟ ଏପରି କୃତିତ୍ୱ ହାସଲ କରିନଥିଲେ।
ଏହାପୂର୍ବରୁ ଶ୍ରୀଲଙ୍କାର ଲାସିଥ ମାଲିଙ୍ଗା ନ୍ୟୁଜିଲାଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ୪ଟି ୱିକେଟ ନେଇଥିଲେ।ଗେଡେ ପ୍ରିୟଦାନାଙ୍କ ଏହି ସଫଳତାକୁ ଆନ୍ତର୍ଜାତୀୟ କ୍ରିକେଟରେ ଆସୋସିଏଟ ଦେଶମାନଙ୍କ ପାଇଁ ଏକ ବଡ଼ ମାଇଲଖୁଣ୍ଟ ଭାବେ ଦେଖାଯାଉଛି। ଏହି କୃତିତ୍ୱ ଇଣ୍ଡୋନେସିଆ କ୍ରିକେଟ ପାଇଁ ଗୌରବ ଆଣିବା ସହ ଆସୋସିଏଟ ଦେଶମାନଙ୍କୁ ବିଶ୍ୱ କ୍ରିକେଟରେ ଆଗକୁ ଆସିବାକୁ ନୂଆ ଆଶା ଦେଇଛି।

