ନ୍ୟୁଜ ଡେକ୍ସ : ଆସନ୍ତା ୪ ତାରିଖରୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ୨ ଦିନିଆ ଆଧିକାରିକ ଗସ୍ତରେ ଭାରତ ଆସିବେ। ଡିସେମ୍ବର ୨୦୨୧ ପରେ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଭାରତ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣକ୍ରମେ ପୁଟିନ ଏହି ଗସ୍ତ କରୁଥିବା ବିଦେଶ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି।ଡିସେମ୍ବର ୫ ତାରିଖରେ ‘୨୩ତମ ଭାରତ–ରୁଷ ବାର୍ଷିକ ଶିଖର ସମ୍ମିଳନୀ’ ଅନୁଷ୍ଠିତ ହେବ।
ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ୱାନ୍-ଟୁ-ୱାନ୍ ଆଲୋଚନା ସମ୍ପନ୍ନ ହେବ। ଏହାସହ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି।ଗସ୍ତ ସମୟରେ ରାଷ୍ଟ୍ରପତି ପୁଟିନ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ମଧ୍ୟ ସାକ୍ଷାତ କରିବେ। ଏହି ଗୁରୁତ୍ୱପୂର୍ଣ୍ଣ ଗସ୍ତକାଳୀନ ସମୟରେ ପ୍ରତିରକ୍ଷା, ଆଣବିକ ଶକ୍ତି, ମହାକାଶ, ବାଣିଜ୍ୟ ଓ ନିବେଶ, କୃତ୍ରିମ ବୁଦ୍ଧିମତ୍ତା ଏବଂ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ସମ୍ଭାବନା ରହିଛି।
ଏହାସହ ରାଷ୍ଟ୍ରପତି ପୁଟିନ ରୁଷ–ଭାରତ ବାଣିଜ୍ୟ ଫୋରମର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବେ। ୨୦୨୪ ସଳେ ଭାରତ ଓ ରୁଷ ମଧ୍ୟରେ ବାଣିଜ୍ୟ ପରିମାଣ ପ୍ରାୟ ୫ ଲକ୍ଷ ୬୧ ହଜାର କୋଟି ଟଙ୍କା ପହଞ୍ଚିଛି, ଯାହା ଦୁଇ ଦେଶର ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରୁଛି।ଏହି ଗସ୍ତକୁ ଦୁଇ ଦେଶ ମଧ୍ୟରେ କୌଟନୀତିକ, କାରୋବାରିକ ଏବଂ କୌଶଳଗତ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।

