ନ୍ୟୁଜ ଡେକ୍ସ : ଆୟୁର୍ବେଦ ଅନୁସାରେ ଲାଉ ଏକ ଉତ୍କୃଷ୍ଟ ଔଷଧୀୟ ଗୁଣରେ ପୂର୍ଣ୍ଣ ସବ୍ଜି। ଲାଉରୁ ପ୍ରସ୍ତୁତ ଜୁସ୍ ପାନ କଲେ ଶରୀରରୁ ବିଷାକ୍ତ ତତ୍ତ୍ବ ବାହାର କରିବାରେ ସହାୟକ ହୋଇଥାଏ। ଲାଉ ଜୁସ୍ରେ ଭିଟାମିନ୍, ମିନେରାଲ ଓ ବିଭିନ୍ନ ପୋଷକତତ୍ତ୍ବ ଥିବାରୁ ନିୟମିତ ଓ ସଠିକ୍ ମାତ୍ରାରେ ପିଇଲେ ଶରୀରର ଅନେକ ରୋଗ ଦୂର ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି।ବିଶେଷକରି ଶୀତଦିନେ ଲାଉ ଜୁସ୍ ପିଇବାକୁ ଅତ୍ୟନ୍ତ ହିତକର ବୋଲି କୁହାଯାଏ।
ଲାଉରେ ଥିବା ପଟାସିୟମ ରକ୍ତଚାପକୁ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରେ। ପାଚନତନ୍ତ୍ରକୁ ସକ୍ରିୟ ରଖିବା ସହ ଭିଟାମିନ୍-ସି, ପଟାସିୟମ, ମ୍ୟାଗ୍ନେସିୟମ ଓ ଆଣ୍ଟିଅକ୍ସିଡାଣ୍ଟ ଥିବାରୁ ଏହା ହୃଦୟକୁ ସୁସ୍ଥ ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ସେହିପରି ଏହା ଶରୀରରେ ଜଳୀୟ ତତ୍ତ୍ବର ସନ୍ତୁଳନ ରକ୍ଷା କରେ। ନିୟମିତ ଭାବେ ଲାଉ ଜୁସ୍ ପାନ କଲେ ମୁଣ୍ଡବିନ୍ଧା ସମସ୍ୟାରୁ ରକ୍ଷା ମିଳିପାରେ। ଏହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଏ।
ସେହି ସହିତ, ଓଜନ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବେଶ୍ ଉପକାରୀ। ସକାଳୁ ଖାଲି ପେଟରେ ଲାଉ ଜୁସ୍ ପିଇବାକୁ ଅଧିକ ଲାଭକାରୀ ବୋଲି ପରାମର୍ଶ ଦିଆଯାଏ।ବିଶେଷଜ୍ଞଙ୍କ ମତାନୁସାରେ ପ୍ରତିଦିନ ୧୦୦ରୁ ୧୫୦ ମିଲି ତଟକା ଲାଉ ଜୁସ୍ ପାନ କରିବା ଉଚିତ। ତେବେ ଯଦି କାହାର କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ରହିଥାଏ, ତେବେ ଡାକ୍ତରଙ୍କ ପରାମର୍ଶ ବିନା ଲାଉ ଜୁସ୍ ସେବନ କରିବା ଅନୁଚିତ ବୋଲି ସତର୍କ କରାଯାଇଛି।

