ନ୍ୟୁଜ ଡେକ୍ସ : ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନଏସ୍ ଇଣ୍ଡିଆ) ସାମୁଦ୍ରିକ ଇଞ୍ଜିନିୟରିଂ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ କରିଛି। ଆମେରିକୀୟ ବ୍ୟୁରୋ ଅଫ ସିପ୍ପିଂ (ଏବିଏସ୍) ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ବାଧିକ ଶକ୍ତିସମ୍ପନ୍ନ ଇକ୍ୟୁ୭୦ ଗ୍ରେଡ୍ ୱେଲ୍ଡିଂ ପାଇପ୍ ଉତ୍ପାଦନ କରିବାରେ ବିଶ୍ୱର ପ୍ରଥମ ଇସ୍ପାତ କମ୍ପାନୀ ଭାବେ ଏଏମ୍/ଏନଏସ୍ ଇଣ୍ଡିଆ ନିଜର ବିଶ୍ୱସ୍ତରୀୟ ଉତ୍ପାଦନ କ୍ଷମତାର ପରିଚୟ ଦେଇଛି।
ଏବିଏସ୍ ହେଉଛି ବିଶ୍ୱସ୍ତରରେ ସ୍ୱୀକୃତିପ୍ରାପ୍ତ ଏକ ଅଗ୍ରଣୀ ସାମୁଦ୍ରିକ ବର୍ଗୀକରଣ ସଂସ୍ଥା, ଯାହା ସୁରକ୍ଷା, ଦୃଢ଼ତା ଓ ଗୁଣବତ୍ତା ମାନଦଣ୍ଡ ଅନୁପାଳନର ପ୍ରମାଣପତ୍ର ପ୍ରଦାନ କରିଥାଏ। ଏହି ଉପଲବ୍ଧି ମାଧ୍ୟମରେ ଏଏମ୍/ଏନଏସ୍ ଇଣ୍ଡିଆ ଅଫଶୋର ଇଞ୍ଜିନିୟରିଂରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବା ସହ ‘ଆତ୍ମନିର୍ଭର ଭାରତ’ ଓ ‘ବିକଶିତ ଭାରତ’ ପଦକ୍ଷେପକୁ ମଧ୍ୟ ସୁଦୃଢ଼ ସମର୍ଥନ ଦେଇଛି।ଏହି ଉଚ୍ଚ କ୍ଷମତାସମ୍ପନ୍ନ ୱେଲ୍ଡିଂ ପାଇପ୍ଗୁଡ଼ିକ ତେଲ ଓ ଗ୍ୟାସ୍ ପ୍ଲାଟଫର୍ମ, ଅଫଶୋର ୱିନ୍ଡ ସ୍ଟ୍ରକଚର ଏବଂ ଗଭୀର ଜଳ ପାଇପ୍ଲାଇନ୍ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ବ୍ୟବହୃତ ହେବ। ଏହା ଫଳରେ ୟୁରୋପରୁ ଆମଦାନି ହେଉଥିବା ସିମଲେସ୍ ପାଇପ୍ ଉପରେ ନିର୍ଭରଶୀଳତା କମିବ। ଏଥିସହ ଦେଶୀୟ ଗ୍ରାହକମାନେ କମ ସମୟ, କମ ଖର୍ଚ୍ଚ ଓ ଉନ୍ନତ ଯୋଗାଣ ସୁରକ୍ଷାର ଲାଭ ପାଇପାରିବେ।
କମ୍ପାନୀ ଗୁଜରାଟର ହାଜିରାସ୍ଥିତ ପ୍ରମୁଖ ପ୍ଲାଣ୍ଟରେ ସବମର୍ଜଡ୍ ଆର୍କ ୱେଲ୍ଡିଂ ପ୍ରଯୁକ୍ତି ବ୍ୟବହାର କରି ଏହି ପାଇପ୍ର ସଫଳ ଉତ୍ପାଦନ କରିଛି। ଏହି ପାଇପ୍ର ଉଚ୍ଚ ଦୃଢ଼ତା ଯୋଗୁଁ ଏହାକୁ ହାଲୁକା ଏବଂ ପତଳା ଆକୃତିରେ ତିଆରି କରାଯାଇପାରିବ, ଯାହା ଢାଞ୍ଚାଗତ ସୁରକ୍ଷାକୁ ଅକ୍ଷୁଣ୍ଣ ରଖିବ। ଏହାର ଉନ୍ନତ ୱେଲ୍ଡିଂ କ୍ଷମତା ଓ କ୍ଷରଣ ପ୍ରତିରୋଧକ ଗୁଣ ଏହାକୁ କଠିନ ସାମୁଦ୍ରିକ ପରିବେଶରେ ମଧ୍ୟ ଅଧିକ ନିର୍ଭରଯୋଗ୍ୟ କରିଛି।ଏଏମ୍/ଏନଏସ୍ ଇଣ୍ଡିଆ ଦେଶର ଏକ ଅଗ୍ରଣୀ ତୈଳ ଓ ଗ୍ୟାସ୍ ଉତ୍ପାଦକ ସଂସ୍ଥାକୁ ଏହି ପାଇପ୍ର ବୃହତ୍ ପରିମାଣ ଯୋଗାଇସାରିଛି। ଇକ୍ୟୁ୭୦ ଗ୍ରେଡ୍ ପାଇପ୍ ଜ୍ୟାକ୍-ଅପ୍ ରିଗ୍ ଓ ଡିପ୍ ୱାଟର ପାଇପଲାଇନ୍ର ଲେଗ୍ ବ୍ରେସିଂ ଭଳି ଅଫଶୋର ପ୍ରକଳ୍ପରେ ଚାହିଦା ପୂରଣ କରୁଛି।
କମ୍ପାନୀ କହିଛି ଯେ, ଏଭଳି ଅତ୍ୟଧିକ ଶକ୍ତିସମ୍ପନ୍ନ ୱେଲ୍ଡିଂ ପାଇପ୍ ତିଆରି କରିବା ବୈଷୟିକ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। କାରଣ ଏଥିପାଇଁ ମୁଖ୍ୟ ଧାତୁ ଓ ୱେଲ୍ଡିଂ ସିମ୍ରେ ସମାନ ଦୃଢ଼ତା ଓ ଶକ୍ତି ବଜାୟ ରଖିବା ଆବଶ୍ୟକ ହୁଏ। ଏହି ନବସୃଜନ ଭାରତର ଉତ୍ପାଦନ କ୍ଷମତାକୁ ବିଶ୍ୱ ସ୍ତରରେ ଆହୁରି ଉଚ୍ଚକୁ ନେଇଛି। ଏବିଏସ୍ ପ୍ରମାଣପତ୍ର ମାଧ୍ୟମରେ ଏହା ସ୍ପଷ୍ଟ ହୋଇଛି ଯେ, ଏହି ୱେଲ୍ଡିଂ ପାଇପ୍ଗୁଡ଼ିକ ସୁରକ୍ଷା, ଦୃଢ଼ତା, ଗଠନମୂଳକ ଅଖଣ୍ଡତା ଓ କାର୍ଯ୍ୟଦକ୍ଷତାର ବିଶ୍ୱସ୍ତରୀୟ ମାନଦଣ୍ଡ ପୂରଣ କରୁଛି। ଏହା ଫଳରେ ଆନ୍ତର୍ଜାତୀୟ ଅଫଶୋର ଓ ସାମୁଦ୍ରିକ ପ୍ରକଳ୍ପରେ ଭାରତୀୟ ଉତ୍ପାଦ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ।

