ନ୍ୟୁଜ ଡେକ୍ସ : ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଥାଇଲ୍ୟାଣ୍ଡର ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା ଏସିଆ ସ୍କୁଲ ରଗ୍ବୀ ସେଭେନ୍ସ ଚାମ୍ପିୟନ୍ସିପ୍ରେ କିସ୍ର ଉଭୟ ବାଳକ ଓ ବାଳିକା ରଗ୍ବୀ ଦଳ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଚାମ୍ପିୟନ୍ସିପ୍ରେ ବିଭିନ୍ନ ଏସୀୟ ଦେଶର ସ୍କୁଲ ଓ କଲେଜ ଦଳମାନେ ଅଂଶଗ୍ରହଣ କରିବେ।
ଥାଇ ରଗ୍ବୀ ୟୁନିଅନ୍ ଦ୍ୱାରା ଆୟୋଜିତ ଏହି ଚାମ୍ପିୟନ୍ସିପ୍ରେ ଆୟୋଜକ ଥାଇଲ୍ୟାଣ୍ଡ ସହିତ ଲାଓସ୍, ମାଲେସିଆ, ପାକିସ୍ତାନ, ଚାଇନିଜ୍ ତାଇପେଇ ପ୍ରମୁଖ ଦେଶର ଦଳମାନେ ଅଂଶ ନେବେ।୧୪ ଜଣିଆ କିସ୍ ଇଣ୍ଡିଆ ବାଳକ ଦଳର ଅଧିନାୟକ ଭାବେ ବିଦ୍ୟାଧର ମାଝୀ ରହିଥିବା ବେଳେ ପ୍ରଶିକ୍ଷକ ଯଶୋବନ୍ତ କୁମୁରା ଓ ମ୍ୟାନେଜର କନ୍ଦନ ମୁର୍ମୁ ଦଳର ଦାୟିତ୍ୱ ନେଇଛନ୍ତି। ସେହିପରି ୧୪ ଜଣିଆ କିସ୍ ଇଣ୍ଡିଆ ବାଳିକା ଦଳର ଅଧିନାୟକ ମାମାଲି ସିଂହ ରହିଥିବା ବେଳେ ପ୍ରଶିକ୍ଷକ ହିରାନୋ ମିକିନୋରି ଓ ମ୍ୟାନେଜର ନିର୍ମାଲ୍ୟ ରାଉତ ଦଳରେ ସାମିଲ ଅଛନ୍ତି। ଉଭୟ ଦଳ ୭ ତାରିଖରେ ଥାଇଲ୍ୟାଣ୍ଡ ଅଭିମୁଖେ ଯାତ୍ରା କରିବେ।
ଏହି ସଫଳତାକୁ ନେଇ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ପ୍ରକାଶ କରିବା ସହ ଉଭୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସେ ଚାମ୍ପିୟନ୍ସିପ୍ରେ ଉଭୟ ଦଳ ସଫଳତା ହାସଲ କରିବେ ବୋଲି ଶୁଭେଚ୍ଛା ଜଣାଇଛନ୍ତି।ଏହା ସହିତ ଭାରତୀୟ ରଗ୍ବୀ ଫୁଟବଲ୍ ୟୁନିଅନ୍ ଓ ଓଡ଼ିଶା ରଗ୍ବୀ ଫୁଟବଲ୍ ଆସୋସିଏସନ୍ର ସଦସ୍ୟମାନେ ମଧ୍ୟ ଉଭୟ ଦଳକୁ ଅଭିନନ୍ଦନ ଜଣାଇ ଚାମ୍ପିୟନ୍ସିପ୍ ପାଇଁ ଶୁଭକାମନା କରିଛନ୍ତି। ଏହି ଅବସରରେ ଓଡ଼ିଶା ରଗ୍ବୀ ଫୁଟବଲ୍ ଆସୋସିଏସନ୍ର ଉପସଭାପତି ଉପେନ୍ଦ୍ର ମହାନ୍ତି, କିଟ୍ର କ୍ରୀଡ଼ା ଏବଂ ଯୋଗ ସ୍କୁଲର ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

