ନ୍ୟୁଜ ଡେକ୍ସ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି-୨୦୨୬ ପାଇଁ ଅପେକ୍ଷା କରିଥିବା ହଜାର ହଜାର ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ସୂଚନା ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଆସନ୍ତା ଜୁନ୍ ୨୧ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିବା ବେଳେ ଏବେ ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ବୋର୍ଡ ଶୁକ୍ରବାର ଏହାକୁ ନେଇ ଆଧିକାରିକ ସୂଚନା ଜାରି କରିଛି।
ବୋର୍ଡ ପକ୍ଷରୁ ଜଣାଇଦିଆଯାଇଛି ଯେ, ଓଟିଇଟି-୨୦୨୬ ପରୀକ୍ଷା ଆସନ୍ତା ଜୁନ୍ ୨୮ ତାରିଖରେ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏହି ପରୀକ୍ଷା ଦୁଇଟି ସେସନରେ ହେବାକୁ ଥିବା ବେଳେ ପ୍ରଥମ ସେସନରେ ପେପର୍-୧ ଓ ଦ୍ୱିତୀୟ ସେସନରେ ପେପର୍-୨ ପରୀକ୍ଷା ହେବ।ସୂଚନା ଅନୁଯାୟୀ, ପେପର୍-୧ ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ। ସେହିପରି ପେପର୍-୨ ପରୀକ୍ଷା ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ୪ଟା ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ପରୀକ୍ଷାର ସମୟସୂଚୀ ଓ କେନ୍ଦ୍ର ସମ୍ପର୍କିତ ସମସ୍ତ ବିବରଣୀ ଆଡମିଟ୍ କାର୍ଡରେ ଉଲ୍ଲେଖ ରହିବ ବୋଲି ବୋର୍ଡ କହିଛି। ଏହାସହ ବୋର୍ଡ ଆହୁରି ସୂଚନା ଦେଇଛି ଯେ, ଓଟିଇଟି-୨୦୨୬ ପାଇଁ ଆଡମିଟ୍ କାର୍ଡ ଜୁନ୍ ୧୭ ତାରିଖରୁ ବୋର୍ଡର ଆଧିକାରିକ ୱେବସାଇଟ୍ରେ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ www.bseodisha.nic.in ୱେବସାଇଟ୍କୁ ଯାଇ ନିଜ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ଆଡମିଟ୍ କାର୍ଡ ସହ ଏକ ବୈଧ ପରିଚୟପତ୍ର ନେଇ ପରୀକ୍ଷା କେନ୍ଦ୍ରକୁ ଯିବାକୁ ବୋର୍ଡ ପକ୍ଷରୁ ପରାମର୍ଶ ଦିଆଯାଇଛି।ପରୀକ୍ଷା ତାରିଖ ପରିବର୍ତ୍ତନ ହେବା ପରେ ଅନେକ ପରୀକ୍ଷାର୍ଥୀ ନିଜ ପ୍ରସ୍ତୁତି ପାଇଁ ଅଧିକ ସମୟ ପାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି।
ତେବେ କିଛି ପରୀକ୍ଷାର୍ଥୀ ପୂର୍ବରୁ କରିଥିବା ଯାତ୍ରା ଓ ରହିବା ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ପଡ଼ିବାରୁ ଅସୁବିଧା ହେବ ବୋଲି କହିଛନ୍ତି।ଓଟିଇଟି ପରୀକ୍ଷା ରାଜ୍ୟରେ ଶିକ୍ଷକ ହେବାକୁ ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗ୍ୟତା ପରୀକ୍ଷା। ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରୁଥିବା ବେଳେ ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟକ ପ୍ରାର୍ଥୀ ଆବେଦନ କରିଛନ୍ତି। ବୋର୍ଡ ପକ୍ଷରୁ ସ୍ୱଚ୍ଛ ଓ ସୁରକ୍ଷିତ ଭାବେ ପରୀକ୍ଷା ପରିଚାଳନା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି।

