ନ୍ୟୁଜ ଡେକ୍ସ: ସୋମବାର ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ଭୁବନେଶ୍ୱରର ଛୋଟବଡ଼ ସମସ୍ତ ହନୁମାନ ମନ୍ଦିର । ସରିଲାଣି ସମସ୍ତ ପ୍ରସ୍ତୁତି ଓ ମନ୍ଦିର ସାଜସଜ୍ଜା । କେବଳ ମନ୍ଦିର କାହିଁକି ବଜାରରେ ଖୁନ୍ଦି ହୋଇଯାଇଛି ପୂଜା ସାମଗ୍ରୀ । ଚଉଁରାରେ ବାନ୍ଧିବା ପାଇଁ ଠେକି ଖୋଜନ୍ତୁ କିମ୍ବା ପଣା ପାଇଁ ବେଲ, ସବୁକିଛିର ପସରା ଦେଖିବାକୁ ମିଳୁଛି ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ଶୁଭାରମ୍ଭ ହେବ। ପଣା ସଂକ୍ରାନ୍ତିକୁ ଓଡ଼ିଶାବାସୀ ଭିନ୍ନ ଭିନ୍ନ ନାମରେ ପାଳନ କରିଥାନ୍ତି। ଦକ୍ଷିଣ ଓଡ଼ିଶାରେ ଝାମୁଯାତ, ମେରୁଯାତ ଏବଂ ଉତ୍ତର ଓଡ଼ିଶାରେ ଚଡ଼କ ପର୍ବ ବେଶ୍ ଧୁମଧାମ୍ରେ ପାଳିତ ହୁଏ। ଦଣ୍ଡପାଟୁଆ ମାନେ ଠାକୁରାଣୀଙ୍କ ମନ୍ଦିର ଆଗରେ ନିଆଁରେ ଚାଲିଥାନ୍ତି। ଏସବୁ ସହିତ ଆଜି ହେଉଛି ମହାବୀର ହନୁମାନଙ୍କ ଜୟନ୍ତୀ। ମହାବିଷୁବ ସଂକ୍ରାନ୍ତିରୁ ଓଡ଼ିଆ ନବବର୍ଷର ଆରମ୍ଭ । ସେଥିପାଇଁ ସୋମବାରଠାରୁ ଚାଲିବ ନୂଆ ପାଞ୍ଜି । ଏହି ସଂକ୍ରାନ୍ତି ପରଠୁ ସୂର୍ଯ୍ୟଙ୍କ ଉତ୍ତାପ ବଢୁଥିବାରୁ ଲୋକମାନେ ଚଉଁରାରେ ବାନ୍ଧିବେ ମାଟି ଠେକି ।
ସେଥିପାଇଁ ବଜାରରେ ବହୁଳମାତ୍ରାରେ ବିକ୍ରି ହେଉଛି ଭଳିକି ଭଳି ରଙ୍ଗିନ୍ ମାଟିର ଠେକି । ଯେଉଁଥିରେ ଖୁବ୍ ନିଖୁଣ ଭାବରେ ହାତ କାମ ହୋଇଛି । ମୁଖ୍ୟତଃ ଏହି ଠେକିଗୁଡ଼ିକର ମୂଲ୍ୟ ୩୦ ଟଙ୍କାରୁ ଆରମ୍ଭ ହୋଇ ୮୦ ଟଙ୍କା ପର୍ଯ୍ୟନ୍ତ ରହୁଛି । ଯାହାକୁ କିଣିବା ପାଇଁ ରବିବାର ବଜାରରେ ବେଶ୍ ଗହଳି ଦେଖାଯାଇଥିଲା । ଏଥିପାଇଁ ରାସ୍ତାକଡ଼ ଏବଂ ଛକରେ ଛୋଟ ଛୋଟ ଉଠାଦୋକାନ ମଧ୍ୟ ଖୋଲିଛି ।
