Wed. Jun 3rd, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ଓଡ଼ିଶା ପୋଲିସ ସେବା (ଓପିଏସ) କ୍ୟାଡରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ମୋଟ ୫୮ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ବିଭିନ୍ନ ସ୍ଥାନରେ ବଦଳି ଏବଂ ନିଯୁକ୍ତି ଦିଆଯାଇଛି। ଏଥିମଧ୍ୟରୁ ୪୫ ଜଣ ଓପିଏସ ଅଧିକାରୀଙ୍କୁ ପଦୋନ୍ନତି ସହ ଅତିରିକ୍ତ ଏସପି ଭାବେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

ଆଇନ ପ୍ରବର୍ତ୍ତନ, ସତର୍କତା ବ୍ୟବସ୍ଥା ଏବଂ ଜିଲ୍ଲାସ୍ତରୀୟ ପୋଲିସିଂକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ବ୍ୟାପକ ପ୍ରଶାସନିକ ପଦକ୍ଷେପ ନିଆଯାଇଛି।ବଦଳି ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କୁ କୋରାପୁଟ ଡିଆଇଜି କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ରେଞ୍ଜରୁ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟକୁ ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି। ହରେକୃଷ୍ଣ ମାଝୀଙ୍କୁ ଭିଜିଲାନ୍ସର ଅତିରିକ୍ତ ଏସପି ଦାୟିତ୍ୱ ମିଳିଛି।ସେହିପରି ମନୋଜ କୁମାର ସାମନ୍ତଙ୍କୁ କୋରାପୁଟ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ଅତିରିକ୍ତ ଏସପି, ସୁଶାନ୍ତ କୁମାର ସେନଙ୍କୁ ଭିଜିଲାନ୍ସ ଅତିରିକ୍ତ ଏସପି, ଦେବଜିତ ଭଟ୍ଟାଚାର୍ଯ୍ୟଙ୍କୁ କଟକ ପୋଲିସ ମୁଖ୍ୟାଳୟର ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି।

ସୁଦର୍ଶନ ଦାସଙ୍କୁ କଟକ ଏଚଆରପିସିର ଅତିରିକ୍ତ ଏସପି, ସୁଜିତ କୁମାର ପଣ୍ଡାଙ୍କୁ ପୋଲିସ ମୁଖ୍ୟାଳୟ କଟକର ଅତିରିକ୍ତ ଏସପି, ଜ୍ୟୋତିର୍ମୟ ଭୁକ୍ତାଙ୍କୁ କମିଶନରେଟ ପୋଲିସର ଅତିରିକ୍ତ ଡିସିପି ଏବଂ ଅଭିଶେକ ପାଣିଗ୍ରାହୀଙ୍କୁ ପୋଲିସ ମୁଖ୍ୟାଳୟ କଟକର ଅତିରିକ୍ତ ଏସପି ଭାବେ ବଦଳି କରାଯାଇଛି।ଏହାସହ ସୀମା ସ୍ୱାଇଁଙ୍କୁ ନବରଙ୍ଗପୁର, ଚନ୍ଦ୍ରଶେଖର ହୋତାଙ୍କୁ କନ୍ଧମାଳ ଏବଂ ଗାୟତ୍ରୀ ପ୍ରଧାନଙ୍କୁ ଭଦ୍ରକର ଅତିରିକ୍ତ ଏସପି ଭାବେ ନିଯୁକ୍ତି ମିଳିଛି। ଭୁବନେଶ୍ୱର ସିଏଡବ୍ଲ୍ୟୁ ଓ ସିଡବ୍ଲ୍ୟୁରେ କାର୍ଯ୍ୟରତ ଡିଏସପି ପ୍ରତାପ ଚନ୍ଦ୍ର ତ୍ରିପାଠୀଙ୍କୁ କେନ୍ଦୁଝର ଜିଲ୍ଲାର ଘଟଗାଁ ଏସଡିପିଓ ଭାବେ ବଦଳି କରାଯାଇଛି।

ଏହି ବଦଳି ପ୍ରକ୍ରିୟାରେ ଭିଜିଲାନ୍ସ, ସ୍ପେଶାଲ ବ୍ରାଞ୍ଚ, ଗୁଇନ୍ଦା ବିଭାଗ, କମିଶନରେଟ ପୋଲିସ ଏବଂ କେନ୍ଦୁଝର, ଗଞ୍ଜାମ, ବାଲେଶ୍ୱର, ସମ୍ବଲପୁର, କଳାହାଣ୍ଡି ଓ ରାଇରଙ୍ଗପୁର ସମେତ ବିଭିନ୍ନ ଜିଲ୍ଲାର ପୋଲିସ କାର୍ଯ୍ୟାଳୟରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି।ଉଲ୍ଲେଖନୀୟ ଭାବେ, ଏହି ଅଦଳବଦଳରେ ଅନେକ ମହିଳା ଅଧିକାରୀଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି, ଯାହା ପୋଲିସ ନେତୃତ୍ୱ କ୍ଷେତ୍ରରେ ଲିଙ୍ଗଗତ ସମାନତାକୁ ପ୍ରତିଫଳିତ କରୁଛି। ଆଗାମୀ ଦିନରେ ଜିଲ୍ଲା ପୋଲିସିଂ, ଦୁର୍ନୀତି ବିରୋଧୀ ଅଭିଯାନ ଓ ଗୁଇନ୍ଦା ସୂଚନା ସଂଗ୍ରହକୁ ଅଧିକ ସକ୍ରିୟ କରିବାରେ ଏହି ଅଦଳବଦଳ ସହାୟକ ହେବ ବୋଲି ଆଶା କରାଯାଉଛି। ଡିଜିପି କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ଯଥାଶୀଘ୍ର ନୂତନ ଦାୟିତ୍ୱ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *