Sat. Feb 21st, 2026

ନ୍ୟୁଜ ଡେକ୍ସ : କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍‌ରେ ଆୟୋଜିତ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ–୨୦୨୫’ ସଫଳତାର ସହିତ ଉଦଯାପିତ ହୋଇଯାଇଛି। ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ୬ ଦିନିଆ ପ୍ରତିଯୋଗିତାର ସମସ୍ତ ବିଭାଗର ଫାଇନାଲ ମ୍ୟାଚ୍‌ ଆଜି ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହୋଇଥିଲା।

ମହିଳା ଓ ପୁରୁଷ ସିଙ୍ଗଲସ, ମହିଳା ଓ ପୁରୁଷ ଡବଲସ ସହିତ ମିକ୍ସଡ଼ ଡବଲସ ବିଭାଗର ଚାମ୍ପିୟନ ଓ ରନର୍ସ-ଅପ ଖେଳାଳୀମାନଙ୍କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।ପୁରୁଷ ସିଙ୍ଗଲସ ଫାଇନାଲରେ ଭାରତର କିରଣ ଜର୍ଜ ଇଣ୍ଡୋନେସିଆର ମହମ୍ମଦ ୟୁସୁଫଙ୍କୁ ୨୧-୧୪, ୧୩-୨୧ ଓ ୨୧-୧୬ ପଏଣ୍ଟର ତିନୋଟି ଗେମ୍‌ରେ ପରାଜିତ କରି ଚାମ୍ପିୟନ ହୋଇଥିଲେ। ମହିଳା ସିଙ୍ଗଲସ ଫାଇନାଲରେ ଟପସିଡ଼ ଭାରତୀୟ ଖେଳାଳୀ ଉନ୍ନତି ହୁଡ଼ା ନିଜ ଦେଶର ଇସାରାଣୀ ବରୁଆଙ୍କୁ ୨୧-୧୭ ଓ ୨୧-୧୦ ପଏଣ୍ଟରେ ସିଧାସଳଖ ଦୁଇଟି ଗେମ୍‌ରେ ହରାଇ ଖିତାବ ଜିତିଥିଲେ।

ମିକ୍ସଡ଼ ଡବଲସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ମାରୱାନ ଫାଜ଼ା ଓ ଆସ୍ୟାହ ପୂର୍ତ୍ତି ପ୍ରଣତା, ଡି. ଫେର୍ଡିନେନସି ଓ ବି. ୱାର୍ଡନାଙ୍କୁ ୨୧-୧୫ ଓ ୨୧-୧୦ ପଏଣ୍ଟରେ ପରାଜିତ କରି ଚାମ୍ପିୟନ ହୋଇଥିଲେ। ମହିଳା ଡବଲସ ବିଭାଗରେ ବୁଲଗେରିଆର ଟପସିଡ଼ ଯୋଡ଼ି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫାନୀ ଷ୍ଟୋଭା, ମାଲେସିଆ ଯୋଡ଼ି ଅଙ୍ଗଜିନ ୟୀ ଓ କାର୍ମେନ ଟିଙ୍ଗଙ୍କୁ ୨୧-୧୯ ଓ ୨୧-୧୪ ପଏଣ୍ଟରେ ହରାଇ ଚାମ୍ପିୟନ ହୋଇଥିଲେ।ପୁରୁଷ ଡବଲସ ଫାଇନାଲରେ ଇଣ୍ଡୋନେସିଆ ଯୋଡ଼ି ଅଲି ରେହନ ଓ ଦେଭିନ ଅର୍ଥା ୱାହୁଡି, ମାଲେସିଆର କଂଗ ଖାଇ ଜିଙ୍ଗ ଓ ଏରୋନ ତାଇଙ୍କୁ ୧୫-୨୧, ୨୧-୧୨ ଓ ୨୧-୧୬ ପଏଣ୍ଟର ତିନୋଟି ଗେମ୍‌ରେ ପରାଜିତ କରି ଶିରୋପା ହାସଲ କରିଥିଲେ।

ଏହି ଅନ୍ତର୍ଜାତୀୟ ପ୍ରତିଯୋଗିତାର ପରିଚାଳନା ପାଇଁ ୭ ଜଣିଆ ଅଫିସିଆଲ ଦଳ ନିଯୁକ୍ତ ହୋଇଥିଲା। ଟୁର୍ଣ୍ଣାମେଣ୍ଟ ଡାଇରେକ୍ଟର ଭାବେ ବେଣୁ ଗୋପାଳ ମହାଲିଙ୍ଗମ, ରେଫରୀ ଭାବେ ସ୍ୱିଜରଲାଣ୍ଡର ମାନିକ ବସ୍ତିଏନ, ଡେପୁଟି ରେଫରୀ ଭାବେ ଇସ୍ତୋନିଆର ଅରତୁଲ ଯଲୁଜ଼ନୋଇ, ଲୋକାଲ ଡେପୁଟି ରେଫରୀ ଭାବେ ଭାରତର ମଞ୍ଜୁଷା ସହସ୍ରବୁଧେ ଓ ମ୍ୟାଚ୍ କଣ୍ଟ୍ରୋଲର ଭାବେ ମିହିର ରତଞ୍ଜଙ୍କର ଦାୟିତ୍ୱ ନିଭାଇଥିଲେ।ପୁରସ୍କାର ବିତରଣ ସମାରୋହରେ ପଦ୍ମ ବିଭୂଷଣ ସମ୍ମାନିତ ସୁଦର୍ଶନ ସାହୁ, ଡିଜି ଫାୟାର ସର୍ଭିସେସ ସୁଧାଂଶୁ ଷଡ଼ଙ୍ଗୀ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର-ସଚିବ ସଚିନ ରାମଚନ୍ଦ୍ର ଯାଦବ, ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲ, ଆବୋଲି ସୁନୀଲ ନର୍ବାଣେ, ବିଏଆଇ ସାଧାରଣ ସମ୍ପାଦକ ସଞ୍ଜୟ ମିଶ୍ର, ନାଲକୋ ସିଏମଡ଼ି ବିଜେନ୍ଦ୍ର ପ୍ରତାପ ସିଂ ଓ ଓଏସବିଏ ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *