Sat. Feb 21st, 2026

ନ୍ୟୁଜ ଡେକ୍ସ : କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଭବ୍ୟ ଆୟୋଜନ ମଧ୍ୟରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ ୨୦୨୫’ର ଉଦ୍ଘାଟନ ହୋଇଯାଇଛି। ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗର କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ ଏହି ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟର ଶୁଭୁଦ୍ଘାଟନ କରିଥିଲେ।

ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସଭାପତି ରାଜେଶ ପ୍ରଭାକର ପାଟିଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ ସମାରୋହରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦ୍ଦେଶକ ଡ଼. ୟେଦୁଲା ବିଜୟ, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ, ବ୍ୟାଡ଼ମିଣ୍ଟନ ଏସିଆ ଫେଡେରେସନର ଟୁର୍ଣ୍ଣାମେଣ୍ଟ ମ୍ୟାନେଜର ବେଣୁଗୋପାଳ ରାମଲିଙ୍ଗମ ଓ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଣ୍ଟନ ଆସୋସିଏସନର ସମ୍ପାଦକ ନିଲିନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦେଶରୁ କ୍ରୀଡାବିତ୍‌ମାନେ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ସିଙ୍ଗଲସ, ମହିଳା ସିଙ୍ଗଲସ, ପୁରୁଷ ଡବଲସ, ମହିଳା ଡବଲସ ଓ ମିକ୍ସଡ ଡବଲସ ଏହି ପାଞ୍ଚୋଟି ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

ପ୍ରତିଯୋଗିତାର ପ୍ରଥମ ଦିନ ପୂର୍ବାହ୍ନରେ ୨୪ଟି କ୍ୱାଲିଫାଇଂ ମ୍ୟାଚ୍ ଅନୁଷ୍ଠିତ ହୋଇଥିବାବେଳେ ସିଙ୍ଗଲସ, ଡବଲସ ଓ ମିକ୍ସଡ଼ ଡବଲସରୁ ୨୪ଟି ଦଳ ମୁଖ୍ୟ ଡ୍ରକୁ ଉନ୍ନୀତ ହୋଇଛନ୍ତି। ଅପରାହ୍ନରେ ମୁଖ୍ୟ ଡ୍ରର ୨୦ଟି ମ୍ୟାଚ୍ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି।ଯୋଗ୍ୟତା ପର୍ଯ୍ୟାୟରୁ ମୁଖ୍ୟ ଡ୍ରକୁ ଉନ୍ନୀତ ଭାରତୀୟ ସିଙ୍ଗଲସ ଖେଳାଳୀମାନେ ହେଲେ— ଅଂଶ ବିଶାଳ ଗୁପ୍ତା, ମାନବ ଚୌଧୁରୀ, ରୋନକ ଚୌହାନ, ନୁମେର ଶେଖ, ମେଧାବୀ ନଗର, ସଂସ୍କାର ସାରସ୍ୱତ, ଆଦିତ୍ୟ ଦିବାକର ଓ ଲୋକେଶ ରେଡ୍ଡୀ। ସେହିପରି ତାଇପେଇର ଚି ଯୁନ ଚେଙ୍ଗ, ଜାପାନର ନନାମୀ ସୋମେୟା ଓ ଇଣ୍ଡୋନେସିଆର ଡାଳିଆ ଅଘନିଆ ପୁଟେରୀ ମଧ୍ୟ ମୁଖ୍ୟ ଡ୍ରରେ ସ୍ଥାନ ପାଇଛନ୍ତି।

Leave a Reply

Your email address will not be published. Required fields are marked *