ନ୍ୟୁଜ ଡେକ୍ସ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ହାଜତରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ମୃତ୍ୟୁ ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଜାରି ରହିଥିବାବେଳେ ପୁଲିସ ବିଭାଗ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରାଥମିକ ତଦନ୍ତ ଆଧାରରେ ତିନିଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଥାନାର ସ୍ୱାଧୀନ ଦାୟିତ୍ୱରେ ଥିବା ପ୍ରଶିକ୍ଷୁ ସହକାରୀ ପୁଲିସ ଅଧିକାରୀଙ୍କୁ ତାଙ୍କ ପଦବୀରୁ ହଟାଇ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ସୂଚନା ଅନୁସାରେ, କବିସୂର୍ଯ୍ୟନଗର ଥାନାରେ କାର୍ଯ୍ୟରତ ଜଣେ ଉପ-ନିରୀକ୍ଷକ, ବାଲିଛାଇ ଫାଣ୍ଡିର ଜଣେ ସହକାରୀ ଉପ-ନିରୀକ୍ଷକ ଏବଂ ଜଣେ ଆରକ୍ଷୀଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି। ସେହିପରି ଜଣେ ଗୃହରକ୍ଷୀ ଚାଳକଙ୍କୁ ମଧ୍ୟ କାର୍ଯ୍ୟରୁ ବାଦ ଦିଆଯାଇଛି। ତାଙ୍କ ବିରୋଧରେ ପରବର୍ତ୍ତୀ ବିଭାଗୀୟ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଘଟଣାରେ ସୁବଳୟା ଗ୍ରାମର ଦିବ୍ୟାଙ୍ଗ ଯୁବକ ସୁଶାନ୍ତ ସାହୁଙ୍କୁ ବେଆଇନ ପଥର ଫଟା ସମ୍ବନ୍ଧୀୟ ଏକ ମାମଲାରେ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୁଶାନ୍ତଙ୍କୁ ପ୍ରାୟ ସାତ ଦିନ ଧରି ଥାନାରେ ଅଟକ ରଖାଯାଇ ନିର୍ଯାତନା ଦିଆଯାଇଥିଲା। ଏହାଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ପରିବାର ଲୋକଙ୍କ ହସ୍ତରେ ସମର୍ପଣ କରାଯାଇଥିଲା।
ପ୍ରଥମେ ଆସିକା ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁରର ବଡ଼ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଘଟଣା ପରେ ସୁବଳୟା ଗ୍ରାମରେ ଉତ୍ତେଜନା ଲାଗି ରହିଛି। ଗ୍ରାମବାସୀ ଏବଂ ପରିବାର ଲୋକ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ଅନ୍ୟପକ୍ଷରେ, ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ତଦନ୍ତର ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଆବଶ୍ୟକ ହେଲେ ଆହୁରି କଠୋର ପଦକ୍ଷେପ ନିଆଯିବ ବୋଲି ପୁଲିସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି ରହିଛି।

