ନ୍ୟୁଜ ଡେକ୍ସ : ଆଜିଠାରୁ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ)ର ଶେଷ ପର୍ଯ୍ୟାୟ ମୁକାବିଲା ଆରମ୍ଭ ହେଉଛି। ଶୀତୁଆ ସନ୍ଧ୍ୟାରେ ଆନ୍ତର୍ଜାତୀୟ ମାନଙ୍କର ହକି ମ୍ୟାଚ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି। ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଥିବା ବେଳେ ଦଳଗୁଡ଼ିକ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରିଛନ୍ତି।ଆସନ୍ତା ୧୭ ତାରିଖରେ ଦୁଇଟି ରୋମାଞ୍ଚକର ମ୍ୟାଚ ଖେଳାଯିବ।
ପ୍ରଥମ ମୁକାବିଲା ବେଙ୍ଗଲ ଟାଇଗର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ହେବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଳିଙ୍ଗ ଲାନସର୍ସ ସାମ୍ନା କରିବେ ଦିଲ୍ଲୀ ଏସ୍ଜି ପାଇପର୍ସକୁ। ଏହାପୂର୍ବରୁ ଚେନ୍ନାଇ ପରେ ରାଞ୍ଚିରେ ଏଚ୍ଆଇଏଲର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଥିବା ବେଳେ ୧୬ ତାରିଖରେ ରାଞ୍ଚି ରୟାଲ୍ସ ଓ ସୁରମା ହକି କ୍ଲବ ମଧ୍ୟରେ ଶେଷ ମ୍ୟାଚ ଅନୁଷ୍ଠିତ ହେବ।କଳିଙ୍ଗ ଷ୍ଟାଡିୟମରେ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ, ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ନକ୍ଆଉଟ୍ ଏବଂ ୨୬ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ। ପୂର୍ବବର୍ଷରେ ଏଚ୍ଆଇଏଲ ମ୍ୟାଚଗୁଡ଼ିକ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ହୋଇଥିଲେ, କିନ୍ତୁ ଏଥର ସମସ୍ତ ଶେଷ ପର୍ଯ୍ୟାୟ ମ୍ୟାଚ କେବଳ ଭୁବନେଶ୍ୱରରେ ହେବ। ଓଡ଼ିଶା ପକ୍ଷରୁ ବେଦାନ୍ତ କଳିଙ୍ଗ ଲାନସର୍ସ ଏକମାତ୍ର ଦଳ ଭାବେ ମଇଦାନକୁ ଓହ୍ଲାଇଛି।
ଏପର୍ଯ୍ୟନ୍ତ ୪ଟି ମ୍ୟାଚ ଖେଳି ୧୧ ପଏଣ୍ଟ ସହ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି କଳିଙ୍ଗ ଲାନସର୍ସ। ପୂର୍ବରୁ ସ୍ଥଗିତ ରହିଥିବା ଏଚ୍ଆଇଏଲ ପୁଣିଥରେ ନୂଆ ରୂପରେ ଆରମ୍ଭ ହୋଇଥିବା ବେଳେ ବେଦାନ୍ତ ଗ୍ରୁପ୍ ଦଳକୁ ନୂଆ ମାଲିକାନା ଦେଇଛି।ଭୁବନେଶ୍ୱରରେ ହକି ଇଣ୍ଡିଆ ଲିଗ୍କୁ ନେଇ ପୂର୍ବରୁ ଯେପରି ଉତ୍ସାହ ଦେଖାଯାଇଥିଲା, ଏଥର ମଧ୍ୟ ସେହିପରି ଜୋରଦାର ପ୍ରତିକ୍ରିୟା ମିଳିବ ବୋଲି ଆଶା କରାଯାଉଛି। ଦର୍ଶକମାନେ ସମ୍ପୂର୍ଣ୍ଣ ମାଗଣା ଟିକେଟ୍ରେ କଳିଙ୍ଗ ଷ୍ଟାଡିୟମରେ ଏଚ୍ଆଇଏଲର ରୋମାଞ୍ଚକର ମ୍ୟାଚ ଉପଭୋଗ କରିପାରିବେ।

