ନ୍ୟୁଜ ଡେକ୍ସ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ତାତି ମଧ୍ୟରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ବର୍ଷା। ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ କଟକର କେତେକ ଅଞ୍ଚଳରେ କୁଆପଥର ସହ ବର୍ଷା ଦେଖିବାକୁ ମିଳିଛି। ଏହା ଫଳରେ ଗରମ ଓ ଗୁଳୁଗୁଳିରୁ ଲୋକେ କିଛିଟା ରାହାତ ପାଇଛନ୍ତି।ଅନ୍ୟପଟେ ଭଦ୍ରକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ ରଚିଛି। ସନ୍ଧ୍ୟା ପ୍ରାୟ ୫ଟାରୁ ୭ଟା ମଧ୍ୟରେ ହଠାତ୍ ଆକାଶ କଳା ମେଘରେ ଢାଙ୍କି ହୋଇଯାଇଥିଲା।
ଏହାପରେ ପ୍ରବଳ ପବନ ସହ ମୁଷଳଧାରା ବର୍ଷା ଏବଂ ବିଜୁଳି ଘଡଘଡି ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲା।ବିଶେଷକରି ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଅଧିକ ରହିଥିଲା। ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବାରୁ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି। କେତେକ ଗଛ ରାସ୍ତା ଓ ଘର ଉପରେ ପଡ଼ିଥିବାରୁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି।ଧାମନଗର-ଚୁଡ଼ାକୁଟି ରାସ୍ତାରେ ଗଛ ପଡ଼ିବା ଯୋଗୁଁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେହିପରି କୁସୁମା, ଖଡ଼ିପଦା, କାଞ୍ଜିଆପାଳ ଓ ବ୍ଲକ ବଜାର ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିବା ଦେଖାଯାଇଛି।
ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଥିବା ବେଳେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କାଳବୈଶାଖୀ ପରେ ପ୍ରଶାସନ ପକ୍ଷରୁ ରାସ୍ତାରୁ ଗଛ ହଟାଇବା ଓ ବିଦ୍ୟୁତ୍ ସରବରାହ ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।ତେବେ ଏହି ବର୍ଷା ଓ କାଳବୈଶାଖୀ ତାତିରୁ ସାମୟିକ ଆଶ୍ୱସ୍ତି ଦେଇଥିବା ବେଳେ ଅନେକ ସ୍ଥାନରେ କ୍ଷୟକ୍ଷତି ମଧ୍ୟ ସୃଷ୍ଟି କରିଛି।

