Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ ଚେସ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଗ ହେବାକୁ ଯାଉଛି। ଆସନ୍ତା ଜାନୁଆରୀ ୧୪ରୁ ୧୬ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନ୍‌ଷ୍ଟିଟ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି (କିଟ୍‌) ପରିସରରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍‌ (ସୋସିଆଲ୍‌ ଆଣ୍ଡ ଏଜୁକେସନାଲ୍‌ ଚେସ୍‌) ଉପରେ ଏକ ବୃହତ୍‌ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହେବ।ଭାରତରେ ପ୍ରଥମ ଥର ପାଇଁ ଏଭଳି ଆନ୍ତର୍ଜାତୀୟ ମାନଙ୍କର ଚେସ୍‌ ମହାକୁମ୍ଭ କିଟ୍‌ରେ ଅନୁଷ୍ଠିତ ହେଉଥିବାରୁ ଏହାକୁ ନେଇ ଖେଳପ୍ରେମୀ ଓ ଚେସ୍‌ ଜଗତରେ ବେଶ ଉତ୍ସାହ ଦେଖାଯାଉଛି।

ଅନ୍ତର୍ଜାତୀୟ ଚେସ୍‌ ସଂଘ (ଏଫ୍‌ଆଇଡିଇ) ଓ ଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌)ର ମିଳିତ ସହଯୋଗରେ ଏହି ମେଗା ଇଭେଣ୍ଟ ଆୟୋଜିତ ହେଉଛି।ଏହି ଅନ୍ତର୍ଜାତୀୟ ସମ୍ମିଳନୀରେ ଏଫ୍‌ଆଇଡିଇର ସଭାପତି ତଥା ଋଷର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ଆର୍କାଡି ଡଭୋର୍କୋବିଚ୍‌, ଏଫ୍‌ଆଇଡିଇର ଉପସଭାପତି ଓ ଭାରତୀୟ ଚେସ୍‌ର ଜୀବନ୍ତ କିମ୍ବଦନ୍ତୀ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦ, ଏଫ୍‌ଆଇଡିଇର ଡେପୁଟି ଚେୟାର ତଥା ଲାଟଭିଆର ପୂର୍ବତନ ଅର୍ଥମନ୍ତ୍ରୀ ଦାନା ରେଜନିସ୍‌, ଏଆଇସିଏଫ୍‌ ସଭାପତି ନିତିନ ନାରଙ୍ଗ, ସମ୍ପାଦକ ଦେବ ପଟେଲ୍‌ ଓ ଇଭେଣ୍ଟ କମିସନ୍‌ ସଦସ୍ୟ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ। ସମ୍ମିଳନୀ ଅବସରରେ କିଟ୍‌ ପରିସରରେ ନିର୍ମିତ ଇଣ୍ଟରନ୍ୟାସନାଲ୍‌ ଚେସ୍‌ ହଲ୍‌ ଓ ଆଧୁନିକ ଚେସ୍‌ ଗ୍ରାଉଣ୍ଡର ଉଦ୍‌ଘାଟନ ମଧ୍ୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ୍‌ ଆନନ୍ଦଙ୍କ ହାତରେ ସମ୍ପନ୍ନ ହେବ।

କିଟ୍‌ କ୍ୟାମ୍ପସ୍‌ ସହିତ ଭୁବନେଶ୍ୱରର ହୋଟେଲ୍‌ ମେଫେୟାରରେ ମଧ୍ୟ ବିଭିନ୍ନ ସତ୍ର ଓ କାର୍ଯ୍ୟକ୍ରମ ଆୟୋଜିତ ହେବ।ଏହି ବିଶାଳ କାର୍ଯ୍ୟକ୍ରମରେ ଭାରତର ପ୍ରାୟ ୮୦ ଜଣ ନାମୀ ଚେସ୍‌ ତାରକାଙ୍କ ସହ ବିଶ୍ୱର ୪୦ଟି ଦେଶରୁ ଚେସ୍‌ ବିଶେଷଜ୍ଞ, ଖେଳାଳି ଓ ପ୍ରତିନିଧିମାନେ ଯୋଗ ଦେବେ। ମୋଟ ୫ ହଜାର ୨ଶହରୁ ଅଧିକ ଅଂଶଗ୍ରହଣକାରୀ ଏହି ସମ୍ମିଳନୀରେ ସାମିଲ ହେବାକୁ ଥିବା ବେଳେ, କେବଳ ଭାରତରୁ ୫ ହଜାରରୁ ଅଧିକ ଚେସ୍‌ ଖେଳାଳି ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ।ଏହି ଅବସରରେ କିଟ୍‌ ଓ କିସ୍‌ର ସ୍ଥାପକ ଡ. ଅଚ୍ୟୁତ ସାମନ୍ତ କହିଛନ୍ତି ଯେ, କିଟ୍‌ରେ ପ୍ରଥମ ଥର ପାଇଁ ଏଭଳି ଏକ ବିଶ୍ୱସ୍ତରୀୟ ଚେସ୍‌ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶା ପାଇଁ ଗର୍ବର ବିଷୟ।

ଏହା ଦ୍ୱାରା ରାଜ୍ୟର ଯୁବ ଚେସ୍‌ ଖେଳାଳିମାନେ ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ସଂଯୋଗ ସ୍ଥାପନ କରିବା ସହ ନିଜ ଦକ୍ଷତା ବିକାଶ ପାଇଁ ଅପୂର୍ବ ସୁଯୋଗ ପାଇବେ। ସାମାଜିକ ଓ ଶିକ୍ଷାଗତ ଉନ୍ନତିରେ ଚେସ୍‌ର ଭୂମିକା, ଶିଶୁ ଓ ଯୁବ ପିଢ଼ିଙ୍କ ମାନସିକ ବିକାଶ, ଶିକ୍ଷା ପ୍ରଣାଳୀରେ ଚେସ୍‌କୁ ଅନ୍ତର୍ଭୁକ୍ତ କରିବା ଭଳି ବିଷୟ ଉପରେ ଏହି ସମ୍ମିଳନୀରେ ଗଭୀର ଆଲୋଚନା ହେବାକୁ ଯାଉଛି। ଏହି ମହାକୁମ୍ଭ ଓଡ଼ିଶାକୁ ଆନ୍ତର୍ଜାତୀୟ ଚେସ୍‌ ମାନଚିତ୍ରରେ ଏକ ନୂଆ ପରିଚୟ ଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *