ନ୍ୟୁଜ ଡେକ୍ସ : କିଟ୍ ବିଶ୍ୱବିଦ୍ୟାଳୟରେ ୨୬ତମ ଓଡ଼ିଶା ବିଜ୍ଞାନ ଓ ପରିବେଶ କଂଗ୍ରେସ ଏବଂ “ଏସ୍ଡିଜି: ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଇନୋଭେସନ୍ସ” ବିଷୟବସ୍ତୁ ଆଧାରିତ “ସଷ୍ଟେନେବଲ୍ ଗ୍ରୀନ୍ ଫ୍ରଣ୍ଟିୟର୍ସ” ଉପରେ ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଆଜି ଉଦ୍ଘାଟିତ ହୋଇଛି। ୩୦ ତାରିଖ ପର୍ଯ୍ୟନ୍ତ ତିନି ଦିନ ବ୍ୟାପୀ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।
ସମ୍ମିଳନୀକୁ କିଟ୍ ଓ କିସ୍ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଉଦ୍ଘାଟନ କରି ଘୋଷଣା କରିଥିଲେ ଯେ, ରସାୟନ ବିଜ୍ଞାନ କ୍ଷେତ୍ରରେ ଜୀବନ ବ୍ୟାପୀ ଅବଦାନ ନିମନ୍ତେ ପ୍ରତିବର୍ଷ ଜଣେ ରସାୟନ ବିଜ୍ଞାନୀଙ୍କୁ କିଟ୍ ପକ୍ଷରୁ ୧ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।“ନିରନ୍ତର ସବୁଜ ସୀମା” ଉପରେ ଆଧାରିତ ଏହି ପ୍ରଥମ ଅନ୍ତର୍ଜାତୀୟ ସମ୍ମିଳନୀ ଓଡ଼ିଶା ଏନଭିରନମେଣ୍ଟ ସୋସାଇଟି ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ ହୋଇଛି। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନବସର୍ଜନା। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସଠିକ୍ ପ୍ରୟୋଗ ମାଧ୍ୟମରେ କିପରି ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ସାଧନ କରାଯାଇପାରିବ, ସେଥିପାଇଁ ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତ ସରକାରଙ୍କ ପ୍ରାକ୍ତନ ସଚିବ ଡ. ଅରୁଣ କୁମାର ରଥ ଯୋଗଦେଇଥିବା ବେଳେ, ଡିଆର୍ଡିଓ ବେଙ୍ଗାଲୁରୁର ମହାନିର୍ଦ୍ଦେଶକ (ଇସିଏସ୍) ପ୍ରଫେସର ଟି.କେ. ବସ୍ତିଆ, ଓଡ଼ିଶା ପରିବେଶ ସମିତିର ସଂଯୋଜକ ପ୍ରଫେସର ଏସ୍.ଏନ୍. କୁଣ୍ଡୁ, କାର୍ଯ୍ୟକାରୀ ସଭାପତି ଡ. ଜୟକୃଷ୍ଣ ପାଣିଗ୍ରାହୀ, କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ୍ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ୪୫୦ରୁ ଅଧିକ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗଦାନ କରିଛନ୍ତି।ଅତିଥିମାନେ ୨୦୧୬ ରୁ ୨୦୩୦ ପର୍ଯ୍ୟନ୍ତ ଜାତିସଂଘ ଆନୁକୁଲ୍ୟରେ କାର୍ଯ୍ୟକାରୀ ନିରନ୍ତର ବିକାଶ ଲକ୍ଷ୍ୟର ଗୁରୁତ୍ୱ ଓ ଏହା ସାଧନରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।
ଭାରତରେ ଏହି ଲକ୍ଷ୍ୟ ପ୍ରତିଷ୍ଠା ପାଇଁ ଗବେଷଣାରତ ବୈଜ୍ଞାନିକ, ବିଶେଷକରି ଯୁବ ବୈଜ୍ଞାନିକମାନେ ନବସର୍ଜନା ମାଧ୍ୟମରେ ଆଗେଇ ଆସିବାକୁ ଆହ୍ୱାନ କରାଯାଇଥିଲା। ଏହି ଅବସରରେ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପଦାର୍ଥ ବିଜ୍ଞାନୀ ପ୍ରଫେସର ଲମ୍ବୋଦର ପ୍ରସାଦ ସିଂ, ଜୀବ ବିଜ୍ଞାନୀ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ, ପରିବେଶ ବିଜ୍ଞାନୀ ପ୍ରଫେସର ବିନୋଦ ଚନ୍ଦ୍ର ଚୌଧୁରୀ ଏବଂ ଯାନ୍ତ୍ରିକ ବିଜ୍ଞାନୀ ଡ. ବିନୟ କୁମାର ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି, ସମ୍ମିଳନୀର ଆବାହକ ଭାବେ ୧୫ ବର୍ଷର ଅବଦାନ ନିମନ୍ତେ ଡ. ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

