ନ୍ୟୁଜ ଡେକ୍ସ : କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଆସିଛି। ଦୀର୍ଘ ଦିନ ଧରି ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଆସନ୍ତା ଜୁଲାଇ ମାସରୁ ୩ ପ୍ରତିଶତ ଅଧିକ ମହଙ୍ଗା ଭତ୍ତା ମିଳିପାରେ। ଅଖିଳ ଭାରତୀୟ ଔଦ୍ୟୋଗିକ ଶ୍ରମିକଙ୍କ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ-ଆଇଡବ୍ଲୁ)ର ନୂତନ ତଥ୍ୟ ପ୍ରକାଶ ପାଇବା ପରେ ଏହି ବୃଦ୍ଧି ପ୍ରାୟ ନିଶ୍ଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।ଲେବର ବ୍ୟୁରୋର ସଦ୍ୟତମ ତଥ୍ୟ ଅନୁସାରେ, ମେ’ ମାସରେ ସିପିଆଇ-ଆଇଡବ୍ଲୁ ୧୫୦.୮ ସ୍ତରରେ ପହଞ୍ଚିଛି।
ଏହା ପୂର୍ବରୁ ଏପ୍ରିଲ ମାସରେ ଏହା ୧୪୯.୯ ଥିଲା। ଏହି ସୂଚକାଙ୍କ ଆଧାରରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ନିର୍ଦ୍ଧାରଣ କରାଯାଉଥିବାରୁ ଜୁଲାଇରୁ ଅତିକମରେ ୩ ପ୍ରତିଶତ ଡିଏ ବୃଦ୍ଧି ହେବାର ସମ୍ଭାବନା ରହିଛି।ଏହା ପୂର୍ବରୁ କେନ୍ଦ୍ର ସରକାର ୨ ପ୍ରତିଶତ ଡିଏ ବୃଦ୍ଧି କରି ଏହାକୁ ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି କରିଥିଲେ। ବର୍ତ୍ତମାନ ପୁଣି ୩ ପ୍ରତିଶତ ବୃଦ୍ଧି ହେଲେ କର୍ମଚାରୀଙ୍କ ଦରମାରେ ଆହୁରି ବୃଦ୍ଧି ଘଟିବ।ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀମାନେ ଅଷ୍ଟମ ବେତନ କମିଶନକୁ ମଧ୍ୟ ଅପେକ୍ଷା କରିଛନ୍ତି। ପ୍ରଶାସନିକ ସୂତ୍ର ଅନୁଯାୟୀ, ନୂଆ ବେତନ କମିଶନର ସୁପାରିଶ ଆସନ୍ତା ବର୍ଷ ଶେଷ ସୁଦ୍ଧା ଆସିପାରେ ଏବଂ ଏହା ଲାଗୁ ହେବା ପରେ କର୍ମଚାରୀମାନେ ୧୮ରୁ ୨୪ ମାସର ବକେୟା ଅର୍ଥ ମଧ୍ୟ ପାଇପାରନ୍ତି।ଜୁଲାଇ ୨୦୨୬ର ଡିଏ ଗଣନା ସପ୍ତମ ବେତନ କମିଶନ ଅଧୀନରେ ହେବ ବୋଲି ଆଶା କରାଯାଉଛି।
ପରବର୍ତ୍ତୀ ସମୟରେ ଅଷ୍ଟମ ବେତନ କମିଶନ ଲାଗୁ ହେଲେ ପୁରୁଣା ଓ ନୂଆ ବେତନ ମଧ୍ୟରେ ଥିବା ପାର୍ଥକ୍ୟକୁ ଏରିୟର ଆକାରରେ କର୍ମଚାରୀଙ୍କୁ ପ୍ରଦାନ କରାଯିବ।ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ପ୍ରତିବର୍ଷ ଜାନୁଆରୀ ୧ ଏବଂ ଜୁଲାଇ ୧ରୁ ଦୁଇଥର ମହଙ୍ଗା ଭତ୍ତା ସଂଶୋଧନ କରିଥାନ୍ତି। ସାଧାରଣତଃ ଏହାର ଔପଚାରିକ ଘୋଷଣା କିଛି ମାସ ପରେ କରାଯାଇଥାଏ, କିନ୍ତୁ ବର୍ଦ୍ଧିତ ଭତ୍ତା ପିଛିଲା ତାରିଖରୁ ଲାଗୁ ହୋଇ କର୍ମଚାରୀଙ୍କୁ ପ୍ରଦାନ କରାଯାଏ। ଚଳିତ ବର୍ଷ ଦୀପାବଳି ପାଖାପାଖି ଅକ୍ଟୋବର ମାସରେ ଜୁଲାଇର ନୂଆ ମହଙ୍ଗା ଭତ୍ତା ବୃଦ୍ଧି ନେଇ ସରକାର ଔପଚାରିକ ଘୋଷଣା କରିପାରନ୍ତି।

