ନ୍ୟୁଜ ଡେକ୍ସ: କଟକ ଖାନନଗର ରିଂ ରୋଡ୍ ସମ୍ପ୍ରସାରଣ ବେଳେ ବ୍ରିଜ୍ ସ୍ଲାବ୍ ଖସି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍ । କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସଦର ଉପଜିଲ୍ଲାପାଳ ଦିବ୍ୟ ଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ରେ ଅଧିକ୍ଷଣ ଯନ୍ତ୍ରୀ ଡିଭିଜନ ୨ ସ୍ମୃତି ରଞ୍ଜନ ପତି ଓ ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଛନ୍ତି ।
ସେହିପରି ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ଓ ଆହତଙ୍କ ସମସ୍ତ ଚିକିତ୍ସା ମାଗଣାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ସନ୍ଧ୍ୟାବେଳେ କଟକ ଖାନନଗରରେ ବ୍ରିଜ୍ କାମ ଚାଲିଥିବା ବେଳେ ଯାଇଛି ୩ ଜଣଙ୍କର ଜୀବନ। କାମ ଚାଲିଥିବା ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଗୁରୁତର ମାନଙ୍କର ଚିକିତ୍ସା କଟକ ଏସସିବି ମେଡ଼ିକାଲରେ ଚାଲିଛି। ଖାନନଗରଠାରେ କାଠଯୋଡ଼ି ବ୍ରିଜ୍ କାମ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ସେହିଭଳି ସମସ୍ତ ଟେକ୍ନିକାଲ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯାଉଛି ବୋଲି ଅଧିକ୍ଷଣ ଯନ୍ତ୍ରୀ କହିଛନ୍ତି । ଏଥିସହ ମୃତ କର୍ମଚାରୀଙ୍କୁ ସହାୟତା ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ବୋଲି ଜିଲ୍ଲା ଶ୍ରମ ଅଧିକାରୀ କହିଛନ୍ତି ।
