Sat. Feb 21st, 2026

ନ୍ୟୁଜ ଡେକ୍ସ : ଚତୁର୍ଥ ଟି–୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୫୦ ରନ୍‌ରେ ପରାସ୍ତ କରି ଦମଦାର ପ୍ରଦର୍ଶନ କରିଛି। ବିଶାଖାପଟନମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦ ଓଭରରେ ୨୧୫ ରନ୍‌ କରି ଭାରତକୁ ୨୧୬ ରନ୍‌ର କଠିନ ଟାର୍ଗେଟ୍‌ ଦେଇଥିଲା।ଲକ୍ଷ୍ୟ ପଛା କରିବାକୁ ଯାଇ ଟିମ୍‌ ଇଣ୍ଡିଆର ଆରମ୍ଭ ଖୁବ୍‌ ନିରାଶଜନକ ଥିଲା।

ଇନିଂସର ପ୍ରଥମ ବଲ୍‌ରେ ଅଭିଷେକ ଶର୍ମା ଆଉଟ୍‌ ହୋଇଥିଲେ। ସଞ୍ଜୁ ସାମସନ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ ତାଙ୍କୁ ୨୪ ରନ୍‌ରେ କ୍ଲିନ୍‌ ବୋଲ୍ଡ କରି ଭାରତୀୟ ଇନିଂସକୁ ଝଟକା ଦେଇଥିଲେ। ରିଙ୍କୁ ସିଂହ ଆଜି ଚତୁର୍ଥ ନମ୍ବରରେ ବ୍ୟାଟିଂ କରି ୩୦ ବଲରୁ ୩୯ ରନ୍‌ର ଏକ ଲଢୁଆ ଇନିଂସ ଖେଳିଥିଲେ, କିନ୍ତୁ ଦଳକୁ ଜିତ ଦିଗରେ ନେଇପାରିଲେ ନାହିଁ। ଭାରତ ୬୩ ରନ୍‌ରେ ୪ଟି ମୁଖ୍ୟ ୱିକେଟ ହରାଇ ସଂକଟରେ ପଡ଼ିଥିଲା। ଏହି ସମୟରେ ଶିବମ ଦୁବେ କ୍ରିଜକୁ ଆସି ଦମଦାର ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରି ଇତିହାସ ଗଢ଼ିଥିଲେ ଏବଂ ଅଭିଷେକ ଶର୍ମା ଓ ଯୁବରାଜ ସିଂହଙ୍କ ପରେ ଭାରତ ପାଇଁ ତୃତୀୟ ଦ୍ରୁତତମ ଟି–୨୦ ଅର୍ଦ୍ଧଶତକକାରୀ ହୋଇଥିଲେ। ଦୁବେ ୨୩ ବଲରେ ୬୫ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ, ହେଲେ ତାଙ୍କ ଏହି ପ୍ରୟାସ ଦଳକୁ ଜିତ ଦେଇପାରିଲା ନାହିଁ।

ସମ୍ପୂର୍ଣ୍ଣ ଦଳ ୧୬୫ ରନ୍‌ରେ ଅଲଆଉଟ୍‌ ହୋଇଗଲା।ନ୍ୟୁଜିଲାଣ୍ଡ ପକ୍ଷରୁ ଅଧିନାୟକ ମିଚେଲ୍‌ ସାଣ୍ଟନର୍‌ ମ୍ୟାଚ୍‌ର ନାୟକ ଥିଲେ। ସେ ୪ ଓଭରରେ ୨୬ ରନ୍‌ ଦେଇ ୩ଟି ମୂଲ୍ୟବାନ ୱିକେଟ ନେଇ ଭାରତୀୟ ମଧ୍ୟକ୍ରମକୁ ଭାଙ୍ଗିଦେଇଥିଲେ। ସାଣ୍ଟନର୍‌ ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କୁ ଆଉଟ୍‌ କରି ମ୍ୟାଚ୍‌ର ଗତି ପୁରାପୁରି ନ୍ୟୁଜିଲାଣ୍ଡ ପକ୍ଷକୁ ନେଇଥିଲେ।ଏହି ପରାଜୟ ସତ୍ତ୍ୱେ ଚାରିଟି ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆ ସିରିଜରେ ୩–୧ରେ ଆଗୁଆ ରହିଛି।

Leave a Reply

Your email address will not be published. Required fields are marked *