ନ୍ୟୁଜ ଡେକ୍ସ : ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗୀମାନେ କୋଣାର୍କ ସୂର୍ଯ୍ୟମନ୍ଦିର ଓ ଚନ୍ଦ୍ରଭାଗା ବେଳାଭୂମି ପରିଦର୍ଶନ କରିଥିଲେ।ଓଡ଼ିଶା ଗସ୍ତରେ ଥିବା ପ୍ରତିଯୋଗୀମାନେ ପ୍ରଥମେ ଚନ୍ଦ୍ରଭାଗା ବେଳାଭୂମିରେ ପହଞ୍ଚି ସମୁଦ୍ର କୂଳରେ ସୂର୍ଯ୍ୟୋଦୟର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ।
ଶୀତଳ ସମୁଦ୍ର ପବନ ଓ ସୁନ୍ଦର ପରିବେଶ ମଧ୍ୟରେ ସେମାନେ ଅନେକ ସମୟ ଅତିବାହିତ କରିଥିଲେ ଏବଂ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ କ୍ୟାମେରାରେ କଏଦ କରିଥିଲେ।ପରେ ସମସ୍ତ ପ୍ରତିଯୋଗୀ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରକୁ ଯାଇ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପୃଷ୍ଠଭୂମିରେ ଯୋଗାଭ୍ୟାସ କରିଥିଲେ। ଯୋଗ ମାଧ୍ୟମରେ ସେମାନେ ଶାରୀରିକ ସୁସ୍ଥତା ସହିତ ମାନସିକ ଶାନ୍ତିର ବାର୍ତ୍ତା ଦେଇଥିଲେ।
ଏହା ସହିତ ସେମାନେ ଅର୍କକ୍ଷେତ୍ରର କୋଣାର୍କ ମନ୍ଦିର ପରିଦର୍ଶନ କରି ଏହାର ଅଦ୍ଭୁତ ସ୍ଥାପତ୍ୟ କଳା ଓ ସମୃଦ୍ଧ ଇତିହାସ ସମ୍ପର୍କରେ ଅବଗତ ହୋଇଥିଲେ। ପର୍ଯ୍ୟଟନ ବିଭାଗ ପକ୍ଷରୁ ସମସ୍ତ ପ୍ରତିଯୋଗୀଙ୍କୁ ଅତିଥି ସତ୍କାର ସହ ସ୍ୱାଗତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଓ ସଂସ୍କୃତିକୁ ଜାତୀୟ ମଞ୍ଚରେ ପରିଚିତ କରାଇବାରେ ଉଦ୍ୟମ କରାଯାଇଛି।

