ନ୍ୟୁଜ ଡେକ୍ସ : ଆସନ୍ତା ଜାନୁୟାରୀ ୨୪ ଓ ୨୫ ତାରିଖରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ ବୁଡ଼ ଅନୁଷ୍ଠିତ ହେବ। ପୂର୍ବରାତି ମାଘ ଶୁକ୍ଳ ଷଷ୍ଠୀ ଦିନ ଓ ରାତିରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ଅନୁମାନ କରାଯାଇଛି। ଏହାକୁ ନଜରରେ ରଖି ପଞ୍ଜିକା ଅନୁଯାୟୀ ତିନି ଠାକୁରଙ୍କ ଶୋଭାଯାତ୍ରା ଓ ସ୍ନାନ ନୀତି-ନିର୍ଘଣ୍ଟ ନିର୍ଦ୍ଧାରଣ କରାଯାଇଛି।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଜାନୁୟାରୀ ୨୪ ତାରିଖ ମାଘ ଶୁକ୍ଳ ଷଷ୍ଠୀ ରାତି ୮ଟା ୧୦ ମିନିଟରୁ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ଇଶାଣେଶ୍ବର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ବର ଦେବଙ୍କ ଚଳନ୍ତି ପ୍ରତିମା ନିଜ-ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିବେ।ତିନି ଠାକୁର ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ପ୍ରଥମେ କୋଣାର୍କ ଏନଏସି ମଣ୍ଡପରେ ଏବଂ ପରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଆଇବି ପରିସରରେ ପୂଜାର୍ଚ୍ଚନା କରାଯିବ। ଏହା ପରେ ଶୋଭାଯାତ୍ରା ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଞ୍ଚିବ।
ଚନ୍ଦ୍ରଭାଗା ତୀର୍ଥରେ ପାରମ୍ପରିକ ରୀତିନୀତିରେ ପୂଜାହୋମ କର୍ମ ସମ୍ପନ୍ନ ହେବା ପରେ, ଜାନୁୟାରୀ ୨୫ ତାରିଖ ସପ୍ତମୀ ତିଥିରେ ମାହେନ୍ଦ୍ରବେଳା ରାତି ୪ଟା ୪୧ ମିନିଟ ମଧ୍ୟରେ ତିନି ଠାକୁର ପବିତ୍ର ତୀର୍ଥଜଳରେ ସ୍ନାନ କରିବେ। ଏହା ପରେ ରାତି ୪ଟା ୪୧ ମିନିଟରୁ ସାଧୁସନ୍ଥ ଓ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ସ୍ନାନ କରିବେ।ଏହି ଅବସରରେ ଆଇନ-ଶୃଙ୍ଖଳା, ସୁରକ୍ଷା ଓ ବ୍ୟବସ୍ଥାପନା ସମ୍ପର୍କରେ ଆଲୋଚନା ପାଇଁ ବୁଧବାର ଅପରାହ୍ନରେ କୋଣାର୍କ ଏନଏସି ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ନୀତି ସମ୍ପାଦନ ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି।

