ନ୍ୟୁଜ ଡେକ୍ସ : ନୂଆ ବର୍ଷର ପ୍ରଥମ ଦିନରେ ଘନ କୁହୁଡ଼ିର ଚାଦରରେ ଢାକି ଯାଇଥିଲା ରାଜଧାନୀ ଭୁବନେଶ୍ୱର। ଘନ କୁହୁଡ଼ି ହେତୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ସେବା ଗୁରୁତର ଭାବରେ ପ୍ରଭାବିତ ହୋଇଥିଲା, ଯାହାର ପରିଣାମରେ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।ବିମାନବନ୍ଦର ଅଧିକାରୀଙ୍କ ସୂଚନା ଅନୁଯାୟୀ, କମ ଦୃଶ୍ୟମାନତା ଯୋଗୁଁ ୫ଟି ବିମାନର ମାର୍ଗ ପରିବର୍ତ୍ତନ କରାଯାଇଥିଲା।
ଏଥିରେ ୩ଟି ବିମାନ ରାୟପୁର ଏବଂ ୨ଟି ବିମାନ କୋଲକାତାକୁ ଡାଇଭର୍ଟ କରାଯାଇଥିଲା। ପ୍ରଭାବିତ ବିମାନଗୁଡ଼ିକ ମଧ୍ୟରେ ଦିଲ୍ଲୀରୁ ଆସୁଥିବା ୩ଟି, ଚେନ୍ନାଇ ଓ ବେଙ୍ଗାଲୁରୁରୁ ଆସୁଥିବା ଗୋଟିଏ ଗୋଟିଏ ବିମାନ ଥିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।ସକାଳ ୬.୩୦ ମିନିଟ ସମୟରେ ରନୱେର ଦୃଶ୍ୟମାନତା ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ କମିଯାଇଥିଲା। ଏହାର ପ୍ରଭାବରେ ସକାଳ ୬ଟାରେ ଡେରାଡୁନକୁ ପ୍ରସ୍ଥାନ କରିବାକୁ ଥିବା ବିମାନ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଉଡ଼ାଣ କରିପାରିନଥିଲା।
ସେହିପରି ଜୟପୁର ଯାଉଥିବା ଗୋଟିଏ ବିମାନର ଉଡ଼ାଣରେ ମଧ୍ୟ ବିଳମ୍ବ ଘଟିଥିଲା। ଏପଟେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଖୋର୍ଦ୍ଧା ସହ ଓଡ଼ିଶାର କିଛି ଅଞ୍ଚଳରେ ଜାନୁଆରୀ ୫ ତାରିଖ ପର୍ଯ୍ୟନ୍ତ ଘନରୁ ଅତି ଘନ କୁହୁଡ଼ି ଲାଗି ରହିବା ନେଇ ସତର୍କତା ଜାରି କରିଛି। ଏହାକୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କୁ ବିମାନବନ୍ଦରକୁ ଯିବା ପୂର୍ବରୁ ଏୟାରଲାଇନ୍ସର ଆପ୍ କିମ୍ବା ୱେବସାଇଟ୍ ମାଧ୍ୟମରେ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

