ନ୍ୟୁଜ ଡେକ୍ସ: ପରଲୋକରେ ବରିଷ୍ଠ ଗୀତିକାର ଓ ନିର୍ଦ୍ଦେଶକ ବୃନ୍ଦାବନ ଜେନା। ୮୭ ବର୍ଷ ବୟସରେ କଟକ ଏସସିବି ମେଡିକାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନାୟୁଜନିତ ସମସ୍ୟା ପାଇଁ କିଛି ମାସ ହେବ ଏସସିବି ମେଡିକାଲ୍ ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଗେଲବସରର ଦିନ ସରିଗଲା ଭଳି ଗୀତ ମଧ୍ୟ ସେ ରଚନା କରିଥିଲେ ।
୩୦ରୁ ଅଧିକ ଚଳଚ୍ଚିତ୍ରରେ ଗୀତ ରଚନା କରି ପୁରସ୍କୃତ ହୋଇଥିଲେ ବୃନ୍ଦାବନ । ଗୀତିକାର ଭାବେ ଘର ସଂସାର, ଧରିତ୍ରୀ, ସିନ୍ଦୁର ବିନ୍ଦୁ ଭଳି ଚଳଚ୍ଚିତ୍ରରେ ମଧ୍ୟ ବୃନ୍ଦାବନ କାମ କରିଥିଲେ ।୨୦୦୮ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୫ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ୨୦୦୬ରେ ଓଡ଼ିଆ ଗୀତିକବି ସମ୍ମାନ, ୨୦୧୧ରେ ସମ୍ମାନଜନକ ଫକୀରମୋହନ ଗୀତିଶ୍ରୀ ସମ୍ମାନ, ୨୦୧୫ରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ପ୍ରଦତ୍ତ ଗୀତିକବି ସମ୍ମାନରେ ସମ୍ମାନରେ ସମ୍ମାନୀତ ହୋଇଥିଲେ । କେବଳ ଗୀତ ରଚନା ନୁହେଁ ବରଂ ୮ ଟି ଚଳଚ୍ଚିତ୍ରରେ ସେ ଚିତ୍ରନାଟ୍ୟ ଓ ସଂଳାପ ଲେଖକ ଭାବେ କାମ କରିଛନ୍ତି।
ତାଙ୍କ ଚଳଚ୍ଚିତ୍ର ଗୁଡିକ ମଧ୍ୟରୁ ଶାସ୍ତ୍ରୀ ଓ ବାଟ ଅବାଟ ଜାତୀୟ ସ୍ତରରେ ସମ୍ମାନଜନକ ପୁରସ୍କାର ପାଇଥିଲା। ୧୯୭୫ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓଡିଆ ସ୍ନାତକୋତ୍ତର ବିଭାଗରୁ ପ୍ରଥମ ସ୍ବର୍ଣ୍ଣପଦକ ବିଜେତା ଛାତ୍ର ଭାବେ ଉତ୍ତୀର୍ଣ୍ଣ ହେବା ପରେ ବୃନ୍ଦାବନ ଟେଲିକମ୍ ବିଭାଗରେ ଚାକିରି କରିବା ସହ ଚଳଚ୍ଚିତ୍ର ଗୀତ ରଚନା, ପୁସ୍ତକ ରଚନାରେ ଲାଗି ପଡିଥିଲେ। ସେ ୧୫ଟି ପୁସ୍ତକ ରଚନା ମଧ୍ୟ କରିଛନ୍ତି।
