Wed. Jun 3rd, 2026

ନ୍ୟୁଜ ଡେକ୍ସ : ଡିଜେଲ ଦର ବୃଦ୍ଧି ପରେ ରାଜ୍ୟରେ ବସ୍ ଭଡ଼ା ବଢ଼ାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)। ଅଟୋମେଟିକ ଫେୟାର ରିଭିଜନ ମେକାନିଜିମ ଅନୁଯାୟୀ ବିଭିନ୍ନ ଶ୍ରେଣୀର ବସ୍ ଭଡ଼ାରେ ବୃଦ୍ଧି କରାଯାଇଛି।ନୂତନ ଦର ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍‌ର କିଲୋମିଟର ପିଛା ଭଡ଼ା ୨ ପଇସା ବୃଦ୍ଧି ପାଇଛି। ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ର କିଲୋମିଟର ପିଛା ଭଡ଼ା ୪ ପଇସା ବଢ଼ିଥିବାବେଳେ ସୁପର ଡିଲକ୍ସ ବସ୍‌ର ଭଡ଼ା କିଲୋମିଟର ପିଛା ୬ ପଇସା ବୃଦ୍ଧି କରାଯାଇଛି।ଏହା ଫଳରେ ଅର୍ଡିନାରୀ ବସ୍‌ର କିଲୋମିଟର ପିଛା ଭଡ଼ା ୯୦ ପଇସାରୁ ବଢ଼ି ୯୨ ପଇସା ହୋଇଛି।

ଏକ୍ସପ୍ରେସ ବସ୍‌ର ଭଡ଼ା ୯୪ ପଇସାରୁ ବଢ଼ି ୯୬ ପଇସା ହୋଇଥିବାବେଳେ ଡିଲକ୍ସ ବସ୍‌ର ଭଡ଼ା ୧ ଟଙ୍କା ୩୧ ପଇସାରୁ ବଢ଼ି ୧ ଟଙ୍କା ୩୫ ପଇସାକୁ ପହଞ୍ଚିଛି।ସେହିପରି ଏସି ଡିଲକ୍ସ ବସ୍‌ର କିଲୋମିଟର ପିଛା ଭଡ଼ା ୧ ଟଙ୍କା ୫୯ ପଇସାରୁ ବୃଦ୍ଧି ପାଇ ୧ ଟଙ୍କା ୬୩ ପଇସା ହୋଇଛି। ସୁପର ଡିଲକ୍ସ ବସ୍‌ର ଭଡ଼ା ୨ ଟଙ୍କା ୪୭ ପଇସାରୁ ବଢ଼ି ୨ ଟଙ୍କା ୫୩ ପଇସା ହୋଇଛି।

ଏସଟିଏ ସୂଚନା ଅନୁଯାୟୀ, ମେ ୧୫ ତାରିଖରେ ଡିଜେଲ ଦର ଲିଟର ପିଛା ୯୫ ଟଙ୍କା ୮୭ ପଇସା ଥିବାବେଳେ ମେ ୩୧ ତାରିଖ ସୁଦ୍ଧା ଏହା ବୃଦ୍ଧି ପାଇ ୧୦୦ ଟଙ୍କା ୬୮ ପଇସାରେ ପହଞ୍ଚିଥିଲା। ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁଁ ବସ୍ ଚଳାଚଳ ଖର୍ଚ୍ଚ ବଢ଼ିଥିବାରୁ ଏହି ଭଡ଼ା ସଂଶୋଧନ କରାଯାଇଛି।ତେବେ ନୂତନ ଭଡ଼ା ଲାଗୁ ହେବା ପରେ ରାଜ୍ୟର ଲକ୍ଷାଧିକ ଯାତ୍ରୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ଅନ୍ୟପଟେ ବସ୍ ମାଲିକମାନେ ଇନ୍ଧନ ଦର ବୃଦ୍ଧି ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତିକୁ ଆବଶ୍ୟକ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *