ନ୍ୟୁଜ ଡେକ୍ସ : ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଜାନୁଆରୀ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ମହୋତ୍ସବ ଆୟୋଜନ ହେବାକୁ ଧାର୍ଯ୍ୟ ଥିବାବେଳେ, ବର୍ତ୍ତମାନ ଏହା ଜାନୁଆରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ।ଜାନୁଆରୀ ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ୱାରା ଗୋପାଳପୁର ବେଳାଭୂମି ମହୋତ୍ସବର ଭବ୍ୟ ଶୁଭାରମ୍ଭ କରାଯିବ।
ଏହି ମହୋତ୍ସବର ଉଦଯାପନୀ ସମାରୋହ ଆସନ୍ତା ୩୦ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ସମ୍ପନ୍ନ ହେବ।ମହୋତ୍ସବକୁ ସଫଳ କରିବା ପାଇଁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମହୋତ୍ସବର ବ୍ୟବସ୍ଥାପନ, ସୁରକ୍ଷା ଓ ପର୍ଯ୍ୟଟକ ସୁବିଧା ନେଇ ବିସ୍ତୃତ ଆଲୋଚନା କରାଯାଇଛି।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ଏଥିବାର ମହୋତ୍ସବରେ ପଲ୍ଲୀଶ୍ରୀ ମେଳା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା ଏବଂ ବେଳାଭୂମି କ୍ରୀଡ଼ା ଆୟୋଜିତ ହେବ। ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାପାଳ, ବିଇଏମସି କମିଶନର, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଓ ବ୍ରହ୍ମପୁର ଏସ୍ପି ଉପସ୍ଥିତ ରହି ମହୋତ୍ସବକୁ ସୁଚାରୁ ଭାବେ ଆୟୋଜନ କରିବା ପାଇଁ ମତବିନିମୟ କରିଥିଲେ।

