Thu. Oct 23rd, 2025

ନ୍ୟୁଜ ଡେକ୍ସ: ବ୍ରିଜ୍ ଉପରୁ ତଳକୁ ଖସିଲା ଟ୍ରକ୍। ଭଦ୍ରକ ୧୬ ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଉଭୟ ଟ୍ରକର ଡ୍ରାଇଭର ସହ ଜଣେ ହେଲପର ଗୁରୁତର ହୋଇଛନ୍ତି । ୩ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ୧୬ ନମ୍ୱର୍ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଏକ କଣ୍ଟେନର ଛିଡ଼ା ହୋଇଥିଲା । ଉକ୍ତ କଣ୍ଟେନରରେ ବହୁ ମୂଲ୍ୟବାନ ବିଦ୍ୟୁତ ସାମଗ୍ରୀ, ବଡ ଡିଜି ଭର୍ତ୍ତି ହୋଇ ରହିଥିଲା। ଏହି ସମୟରେ ଏକ ବାଲି ବୋଝେଇ ଟ୍ରକ୍ ଆସି ଉକ୍ତ କଣ୍ଟେନରକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଉଭୟ ଗାଡ଼ି ଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଥିଲା ଏବଂ ୩ ଜଣ ଗୁରୁତର ହୋଇଥିଲେ ।

ଏହି ଦୁର୍ଘଟଣା ହେବା ଫଳରେ ଭୀଷଣ ଶବ୍ଦ ସୃଷ୍ଟି ହୋଇଥିଲା । ଶବ୍ଦ ଶୁଣି ସ୍ଥାନୀୟଲୋକେ ତୁରନ୍ତ ଦୌଡ଼ି ଆସି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ପୋଲିସ । ଏହା ସହ ଘଟଣାର ତଦନ୍ତ ମଧ୍ୟ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *