ନ୍ୟୁଜ ଡେକ୍ସ:ଭାରତର ଅଲିମ୍ପିକ ଓ ବିଶ୍ୱ ଚାମ୍ପିଅନ ଜାଭେଲିନ ଥ୍ରୋୟାର ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ ୨୦୨୫ରେ ୯୦.୨୩ ମିଟରର ଦମଦାର ଥ୍ରୋ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଏକ କଠିନ ପ୍ରତିଯୋଗିତାରେ ନୀରଜଙ୍କ ଏହି ପ୍ରଦର୍ଶନ ତାଙ୍କର ଦକ୍ଷତା ଓ ନିଷ୍ଠାର ପରିଚୟ ଦେଇଥିଲେ ମଧ୍ୟ, ସେ ପ୍ରଥମ ସ୍ଥାନରୁ ଅଳ୍ପକେ ଦୂରେଇ ରହିଛନ୍ତି। ତଥାପି, ଏହି ପ୍ରଦର୍ଶନ ଭାରତୀୟ ଆଥଲେଟିକ୍ସ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଛି।
ଲିଗ୍ର ଜାଭେଲିନ୍ ଇଭେଣ୍ଟରେ ନୀରଜ ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର ଥ୍ରୋ’ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ଜର୍ମାନୀର ଭେଟେରାନ୍ ଜୁଲିୟନ ୱେବର ୯୧.୦୬ ମିଟର ଥ୍ରୋ’ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ୱେବର ନିଜର ଷଷ୍ଠ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ପ୍ରୟାସରେ ୭୮.୬୦ ମିଟର ଥ୍ରୋ’ କରିଥିଲେ।
ଦୋହାରେ ଜାଭେଲିନ୍ ଫାଇନାଲ୍ ସମୟରେ ନୀରଜଙ୍କ ତୃତୀୟ ପ୍ରୟାସ ସମୟରେ ଆସିଥିବା ୯୦.୨୩ ମିଟର ବାଧା ମଧ୍ୟ ଏବେ ଭାରତର ଜାତୀୟ ରେକର୍ଡ ବୋଲି ଜଣାପଡ଼ିଛି। ଲିଗ୍ରେ ନୀରଜ ନିଜର ପ୍ରଥମ ପ୍ରୟାସରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ୮୮.୪୪ ମିଟର ଜାଭେଲିନ୍ ଥ୍ରୋ’ କରିଥିଲେ। ତେବେ ଦ୍ୱିତୀୟ ପ୍ରୟାସ ଫାଉଲ୍ ରହିଥିବା ବେଳେ ତୃତୀୟ ପ୍ରୟାସରେ ସଫଳତା ପାଇଥିଲେ। ପ୍ରଥମଥର ନୀରଜ କ୍ୟାରିଅର୍ରେ ୯୦ ମିଟର ବାଧା ଅତିକ୍ରମ କରିଛନ୍ତି। ଏଥିସହ ନୀରଜ ଜାଭେଲିନ୍ ଥ୍ରୋ’ରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।
