Sat. Feb 21st, 2026

“ଯୋ ହରିଃ ସ ହରଃ ସାକ୍ଷାତ ଯୋ ହରଃ ସ ହରିଃ ସଦା ।”

ନ୍ୟୁଜ ଡେକ୍ସ : ଯେ ହରି ସେ ହିଁ ହର ଓ ଯେ ହର ସେ ହିଁ ହରି । ଉଭୟଙ୍କ ମଧରେ କୌଣସି ପାର୍ଥକ୍ୟ ନାହିଁ। ଅବକାଶ ନୀତି ବଢିବା ପରେ ବଡଠାକୁର ବଳଭଦ୍ରଙ୍କୁ ହରିହର ବେଶ ରେ ବିଭୂଷିତ କରାଯାଇଥାଏ। ଠାକୁରଙ୍କ ଶ୍ରୀଅଙ୍ଗରେ ଅର୍ଦ୍ଧେକ ଶ୍ୱେତ ବସ୍ତ୍ର ଲାଗି ହୋଇ ଅନ୍ୟ ଅର୍ଦ୍ଧେକ କୃଷ୍ଣ ବସ୍ତ୍ର ଲାଗି ହୋଇଥାଏ । ଧଳା ଓ କଳା ଉଭୟ ବସ୍ତ୍ର ରେ ସଜ୍ଜିତ ଶ୍ରୀ ବଳଭଦ୍ର ଙ୍କ ଅପରୂପ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡନ୍ତି।

ଏହି ଚିତାକର୍ଷକ ବେଶ ରେ ବଡ଼ଠାକୁର ଶ୍ରୀଭୁଜ ରେ ସୁବର୍ଣ୍ଣର ନଳିଭୁଜ , କର୍ଣ୍ଣ ରେ କୁଣ୍ଡଳ , କଟି ରେ ଓଡ଼ିଆଣି , ଚନ୍ଦ୍ର ,ସୂର୍ଯ୍ୟ ତଥା ବିଭିନ୍ନ ପ୍ରକାର ସୁବର୍ଣ୍ଣ ର ମାଳି ଧାରଣ କରି ଭକ୍ତ ମାନକୁ ଦର୍ଶନ ଦିଅନ୍ତି ।ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ଦୀପାବଳୀ ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାରରେ ବଡ଼ଠାକୁର ବଳଭଦ୍ର ଙ୍କୁ ହରିହର ବେଶ ରେ ସୁସଜ୍ଜିତ କରାଯାଇଥାଏ।

ଶ୍ରୀ ବଳଭଦ୍ରଙ୍କୁ ଶ୍ରୀକଣ୍ଠାଦି ନ୍ୟାସ କରାଯାଇଥାଏ । ତତ୍ତ୍ୱତଃ ଏହା ହରିହର ସମନ୍ୱୟ ପୂଜା । ଶରୀର ତାଙ୍କର ଶିବ ହେଲାବେଳେ ମନ୍ତ୍ର ତାଙ୍କର ବାସୁଦେବ ମନ୍ତ୍ର । ତେଣୁ ସେ ହରି (ବାସୁଦେବ ମନ୍ତ୍ର) ଓ ହର ( ଶ୍ରୀକଣ୍ଠାଦି ନ୍ୟାସ ) ର ସମନ୍ୱୟ ଅଟନ୍ତି । ଏହି ଦୃଷ୍ଟିରୁ ବଳଭଦ୍ର ହେଉଛନ୍ତି ଏକ ଧାରାରେ ହରି ଓ ହର ।

ମହାକାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କର ୬ ଗୋଟି ବିଷ୍ଣୁ ସମ୍ପର୍କିତ ବେଶ ହେଉଥିବା ବେଳେ ହରିହର ବେଶଟି ଶିବ ଓ ବିଷ୍ଣୁ ଉଭୟଙ୍କର ସମନ୍ୱୟ ସାଧନ କରେ ।ବିଶେଷକରି ସୋମବାର ଶିବଙ୍କ ବାର ହୋଇଥିବାରୁ କାର୍ତ୍ତିକ ମାସ ଅମାବାସ୍ୟା ପରେ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ହରିହର ବେଶ ଅନୁଷ୍ଠିତ ହୋଇଥାଏ।

Leave a Reply

Your email address will not be published. Required fields are marked *