ନ୍ୟୁଜ ଡେକ୍ସ : ରାଜ୍ୟରେ ନିତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଛି। ବିଶେଷକରି ଚିନି, ଖାଇବା ତେଲ ଓ ଡାଲିର ଦରରେ ହଠାତ୍ ବୃଦ୍ଧି ଦେଖାଯିବାରୁ ଗରିବ ଓ ମଧ୍ୟବିତ୍ତ ପରିବାରର ବଜେଟ୍ ଉପରେ ଅଧିକ ଚାପ ପଡ଼ିଛି।୧୫ ଦିନ ପୂର୍ବରୁ ଚିନି କିଲୋ ପିଛା ୪୩ ଟଙ୍କା ଥିବାବେଳେ ବର୍ତ୍ତମାନ ଏହା ୪୮ ଟଙ୍କାରେ ପହଞ୍ଚିଛି। ସେହିପରି ସୋରିଷ ତେଲ ଲିଟର ପିଛା ୧୬୦ ଟଙ୍କାରୁ ବୃଦ୍ଧି ପାଇ ୧୯୦ ଟଙ୍କା ହୋଇଛି। ଡାଲିର ଦର ମଧ୍ୟ ୧୨୦ ଟଙ୍କାରୁ ବଢ଼ି ୧୫୦ ଟଙ୍କା ଛୁଇଁଛି।ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରଭାବ ପରିବହନ ଖର୍ଚ୍ଚ ଉପରେ ପଡ଼ିଥିବା ବେଳେ ଏହାର ସିଧା ପ୍ରଭାବ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ଉପରେ ଦେଖାଯାଉଛି।
ରାଜଧାନୀ ତୁଳନାରେ ଗ୍ରାମାଞ୍ଚଳରେ ଅନେକ ସାମଗ୍ରୀ ୧୦ରୁ ୨୦ ଟଙ୍କା ଅଧିକ ଦରରେ ବିକ୍ରି ହେଉଥିବାରୁ ଗ୍ରାହକମାନେ ଅଧିକ ଅସୁବିଧାରେ ପଡ଼ୁଛନ୍ତି।ଓଡ଼ିଶା ନିଜର ପ୍ରାୟ ୭୦ ପ୍ରତିଶତ ଖାଦ୍ୟ ସାମଗ୍ରୀ ବାହାର ରାଜ୍ୟରୁ ଆଣୁଥିବାରୁ ବଜାର ଦର ଉପରେ ପରିବହନ ଖର୍ଚ୍ଚର ବଡ଼ ପ୍ରଭାବ ରହିଛି। ଖାଇବା ତେଲ ପାଇଁ ରାଜ୍ୟ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ପଶ୍ଚିମବଙ୍ଗ ଉପରେ ନିର୍ଭର କରୁଛି। ରାଜ୍ୟର ବାର୍ଷିକ ଖାଇବା ତେଲ ଆବଶ୍ୟକତା ପ୍ରାୟ ୫ ଲକ୍ଷ ଟନ୍ ବୋଲି ଜଣାପଡ଼ିଛି। ଚିନି କ୍ଷେତ୍ରରେ ମଧ୍ୟ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ବାହାର ରାଜ୍ୟ ଉପରେ ନିର୍ଭରଶୀଳ। ରାଜ୍ୟର ବାର୍ଷିକ ଚିନି ଆବଶ୍ୟକତା ୯ ଲକ୍ଷ ଟନ୍ ଥିବାବେଳେ ଆସିକା, ଦେଓଗାଁ ଓ ନୟାଗଡ଼ର ଚିନିକଳଗୁଡ଼ିକ ବନ୍ଦ ହୋଇପଡ଼ିଛି। ବର୍ତ୍ତମାନ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରୁ ଚିନି ଆମଦାନି କରାଯାଉଛି।ଗତ ସପ୍ତାହରେ ଚିନି କୁଇଣ୍ଟାଲ ପିଛା ୧୦୦ ଟଙ୍କା ବଢ଼ିଥିବାବେଳେ ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁଁ ବଜାରରେ ଚିନି ଦର ଆହୁରି ବଢ଼ିଛି।
ଗାଡ଼ି ଭଡ଼ା ୨୫୦ ଟଙ୍କାରୁ ବୃଦ୍ଧି ପାଇ ୩୫୦ ଟଙ୍କାରେ ପହଞ୍ଚିଥିବା ମଧ୍ୟ ଏହାର ଏକ ପ୍ରମୁଖ କାରଣ ବୋଲି ବ୍ୟବସାୟୀମାନେ କହିଛନ୍ତି।ରାଜ୍ୟ ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ପରିବହନ ଖର୍ଚ୍ଚ ବୃଦ୍ଧି ସହ କର୍ପୋରେଟ୍ ସଂସ୍ଥାମାନଙ୍କ ମନମାନି ଦର ନିର୍ଦ୍ଧାରଣ ମଧ୍ୟ ଦରବୃଦ୍ଧିର ଏକ କାରଣ। ଏନେଇ ସର୍ବଭାରତୀୟ ପରିବହନ ସଂଘ ସହ ଆଲୋଚନା କରାଯିବା ସହ ଅନ୍ୟ ଖାଦ୍ୟ ସାମଗ୍ରୀର ଦର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ବ୍ୟବସାୟୀ ମହାସଂଘ ଦାବି କରିଥିବାବେଳେ, ଖାଉଟିମାନେ ଶୀଘ୍ର ଦର ହ୍ରାସ ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

