Thu. Apr 16th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାର କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଲୋକସେବା ଭବନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ସ୍ପଷ୍ଟ କରାଯାଇଛି ଯେ, ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା ସରକାରଙ୍କ ପ୍ରାଥମିକତା ନୁହେଁ।

ବରଂ ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡିକ୍ସନ୍ ସେସ୍ ଲାଗୁ କରିବା ପାଇଁ ଯୋଜନା ହେଉଛି। ଏହା ଦ୍ୱାରା ସମାଜରେ ସଚେତନତା ବୃଦ୍ଧି ଓ ମଦ୍ୟପାନ ବିରୋଧୀ ବାର୍ତ୍ତା ପ୍ରସାର ହେବ ବୋଲି କୁହାଯାଇଛି।ଏହା ସହ ପୂର୍ବରୁ ଚାଲୁଥିବା ଏମ୍‌ଜିକ୍ୟୁ ବ୍ୟବସ୍ଥାକୁ ବିଲୋପ କରି ଏମ୍‌ଜିଇଆର୍‌ ବ୍ୟବସ୍ଥା ଲାଗୁ କରାଯିବ। ଏହା ଫଳରେ ଡିଲରମାନଙ୍କ ଉପରେ ସର୍ବନିମ୍ନ ମଦ ବିକ୍ରୟର ଚାପ କମିବ ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି।ବେଆଇନ ମଦ କାରବାର ଯୋଗୁଁ ଧନଜୀବନ ହାନି ସହ ରାଜସ୍ୱ ହାନି ହେଉଥିବାରୁ, ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି।

ମଦ ଦୋକାନ ଆବଣ୍ଟନ ପ୍ରକ୍ରିୟାରେ ଇ-ଲଟେରୀ ବ୍ୟବସ୍ଥାକୁ ଆହୁରି ସୁସଂଖଳିତ କରିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଅବକାରୀ ବ୍ୟବସ୍ଥାରେ ଏହି ସୁଧାର ଦ୍ୱାରା ବେଆଇନ କାରବାର ନିୟନ୍ତ୍ରଣ ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ବୈଠକରେ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀମାନେ ଓ ଏନଆଇସି ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *