Fri. Apr 17th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରର ଆକର୍ଷଣୀୟ ପର୍ଯ୍ୟଟନ କେନ୍ଦ୍ର ନିକୋ ପାର୍କ ଖୁବ ଶୀଘ୍ର ଏକ ନୂଆ ରୂପରେ ଦେଖାଯିବ। ନିକୋ ପାର୍କର ନବୀକରଣ ଓ ଆଧୁନିକୀକରଣ ୩ଟି ପର୍ଯ୍ୟାୟରେ କରାଯିବ, ଯାହା ପାଇଁ ପର୍ଯ୍ୟାୟକ୍ରମେ ୨ ଶହ କୋଟି ଟଙ୍କା ଲେଖାଏଁ ମୋଟ ୬ ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯିବ। ଏହି ସୂଚନା ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଦେଇଛନ୍ତି।ମନ୍ତ୍ରୀ କହିଛନ୍ତି ଯେ, ନିକୋ ପାର୍କର ସୌନ୍ଦର୍ଯ୍ୟକରଣ ସହିତ ଆଲୋକୀକରଣକୁ ଆଧୁନିକ ରୂପ ଦିଆଯିବ।

ଏଥିସହ ସାଇକେଲ ଟ୍ରାକ୍, ଆୟୁର୍ବେଦିକ ପାର୍କ, ଫୁଟ୍ ଓଭରବ୍ରିଜ୍ ଭଳି ଆଧୁନିକ ସୁବିଧା ସୃଷ୍ଟି କରାଯିବ। ପିଲାମାନଙ୍କ ମନୋରଞ୍ଜନ ପାଇଁ ନୂଆ ରାଇଡ୍‌ ଓ ଖେଳାଘର ସହିତ ମାର୍କେଟ କମ୍ପ୍ଲେକ୍ସ ଓ ଫୁଡ୍ ପାର୍କ ମଧ୍ୟ ନିର୍ମାଣ ହେବ, ଯାହା ପର୍ଯ୍ୟଟକଙ୍କ ପାଇଁ ଅଧିକ ଆକର୍ଷଣ ସୃଷ୍ଟି କରିବ।

ଉଲ୍ଲେଖନୀୟ ଯେ, ପୂର୍ବରୁ ମୁଖ୍ୟମନ୍ତ୍ରୀ ନିକୋ ପାର୍କକୁ ୩ ଶହ କୋଟି ଟଙ୍କା ବ୍ୟୟରେ ନବୀକରଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ଏହାକୁ ଏକ ବିଶ୍ବସ୍ତରୀୟ ଆକର୍ଷଣୀୟ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ସୂଚନା ପ୍ରକାଶ ପାଇଥିଲା। ନୂତନ ପ୍ରକଳ୍ପ ରୂପରେଖା ଅନୁଯାୟୀ, ନିକୋ ପାର୍କ ଆଗାମୀ ଦିନରେ ଭୁବନେଶ୍ୱରର ଏକ ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ଭାବେ ଉଭୟ ରାଜ୍ୟ ଓ ଦେଶବାସୀଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *