ନ୍ୟୁଜ ଡେକ୍ସ : ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏଥର ପଞ୍ଚାୟତ ନିର୍ବାଚନ ନିର୍ଦ୍ଧାରିତ ସମୟରୁ ପୂର୍ବରୁ ହେବାର ସମ୍ଭାବନା ରହିଛି। ଆସନ୍ତା ଜନଗଣନାକୁ ଦୃଷ୍ଟିରେ ରଖି ପଞ୍ଚାୟତ ନିର୍ବାଚନ ଦୁଇରୁ ତିନି ମାସ ଆଗୁଆ କରାଯାଇପାରେ ବୋଲି ସେ ସଙ୍କେତ ଦେଇଛନ୍ତି।
ଏହି ପରିସ୍ଥିତିରେ ସମସ୍ତ ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଅଧୁରା ବିକାଶ କାର୍ଯ୍ୟ ସମାପ୍ତ କରିବାକୁ ସେ କଡା ନିର୍ଦ୍ଦେଶ ଦେଇଛନ୍ତି। “ଏବେ ସମୟ କମ୍, କାମ ଅଧିକ। ଦିନ-ରାତି ଏକ କରି ଲୋକଙ୍କ ଆଶା ପୂରଣ କରିବାକୁ ପଡିବ,” ବୋଲି ସେ କହିଛନ୍ତି।ମନମୋହନ ସାମଲ ଆହୁରି କହିଛନ୍ତି ଯେ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ବିଜେପି ସମସ୍ତ ସ୍ତରରେ ବ୍ଲକ, ପଞ୍ଚାୟତ, ୱାର୍ଡ ଓ ଜିଲ୍ଲା ପରିଷଦ ଜିତିବାକୁ ଲକ୍ଷ୍ୟ ରଖିଛି। ପଞ୍ଚାୟତରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଦଳୀୟ ସଂଗଠନକୁ ମଜବୁତ କରିବା ପାଇଁ ପ୍ରତ୍ୟେକ ସ୍ଥାନରେ ଶକ୍ତିଶାଳୀ ନେତୃତ୍ୱ ତିଆରି କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ଏହା ସହିତ, ପଞ୍ଚାୟତ ସ୍ତରରୁ ଆରମ୍ଭ କରି ବିଧାନସଭା, ଜିଲ୍ଲା ଓ ରାଜ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ “ମିଶ୍ରଣ ପର୍ବ” ଆୟୋଜନ କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଯେଉଁମାନେ ଯେଉଁ ସ୍ତରରେ ଦଳରେ ମିଶିବାକୁ ଚାହିବେ, ସେମାନଙ୍କୁ ସେହି ସ୍ତରରେ ଔପଚାରିକ ଭାବେ ବିଜେପିରେ ସାମିଲ କରାଯିବ।ମନମୋହନ ସାମଲ ସ୍ପଷ୍ଟ କରିଦେଇଛନ୍ତି ଯେ, ଆଗାମୀ ଛଅ ମାସ ଦଳ ପାଇଁ ନିଷ୍ପତ୍ତିକାରକ। ସମସ୍ତ କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧି ଏକତାରେ କାମ କରି ଦଳକୁ ଗ୍ରାମସ୍ତରରେ ଶକ୍ତିଶାଳୀ କରିବାକୁ ସେ ଆହ୍ୱାନ କରିଛନ୍ତି।

