ନ୍ୟୁଜ ଡେକ୍ସ : କଂଗ୍ରେସରୁ ବହିଷ୍କୃତ ବାରବାଟୀ–କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ତାଙ୍କ ନୂଆ ରାଜନୈତିକ ଦଳ ଗଠନ ପ୍ରସଙ୍ଗରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ ଓଡ଼ିଶାକୁ କେନ୍ଦ୍ର କରି ଏକ ଆଞ୍ଚଳିକ ଦଳ ଗଠନ ପାଇଁ ଆଗକୁ ବଢ଼ୁଥିବା ଓ ଏହା ସମ୍ପର୍କିତ ଆଲୋଚନା ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିବା କଥା କହିଛନ୍ତି।
ମୋକିମ୍ କହିଛନ୍ତି ଯେ ଦଳର ସମ୍ଭାବ୍ୟ ନାମ ଭାବେ ‘ଓଡ଼ିଶା ଜନତା କଂଗ୍ରେସ’ ଓ ‘ଓଡ଼ିଶା ଲୋକ କଂଗ୍ରେସ’ ଉପରେ ବିଚାର ଚାଲିଛି। ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟବାସୀଙ୍କ ସମ୍ମୁଖରେ ସମସ୍ତ ବିବରଣୀ ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି।ସେ ଆହୁରି କହିଛନ୍ତି, ଦଳର ନାମ ନିର୍ବାଚନ ପାଇଁ ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ସହିତ ପରାମର୍ଶ କରାଯାଇଛି।
ପ୍ରସ୍ତାବିତ ଦୁଇଟି ନାମ ମଧ୍ୟରୁ ଗୋଟିଏକୁ ଚୟନ କରି ଆନୁଷ୍ଠାନିକ ଭାବରେ ଦଳ ପଞ୍ଜୀକୃତ କରାଯିବ। ମୋକିମ୍ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କୌଣସି ଜାତୀୟ ଦଳ ସହିତ ମେଣ୍ଟ କରିବ ନାହିଁ। ଦଳ ଧର୍ମନିରପେକ୍ଷ ମୂଲ୍ୟବୋଧ ରକ୍ଷା କରି ଓଡ଼ିଶାର ସ୍ୱତନ୍ତ୍ର ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦେବ। ସେ କହିଛନ୍ତି ଯେ ଦଳ କଂଗ୍ରେସର ଚିନ୍ତାଧାରାରେ ମୂଳ ରହିବ ଏବଂ ଯୁବପିଢ଼ିଙ୍କ ପାଇଁ ଏକ ନୂଆ ପ୍ଲାଟଫର୍ମ ଭାବେ କାମ କରିବ।

