ନ୍ୟୁଜ ଡେକ୍ସ : କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଦୀର୍ଘ ଦିନ ଧରି ଚାଲିଥିବା ଚର୍ଚ୍ଚା ଓ କଳ୍ପନାଜଳ୍ପନାର ଅବସାନ ଘଟିଛି। ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ନାମ ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ସେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏଥିପାଇଁ ରାଜ୍ୟପାଳ ଥାୱରଚନ୍ଦ ଗେହଲଟ୍ ବିଧିବଦ୍ଧ ଭାବେ ତାଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି।ରାଜ୍ୟରେ କଂଗ୍ରେସ ସରକାର କ୍ଷମତାରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳ ଭିତରେ ଦୀର୍ଘ ତିନି ବର୍ଷ ଧରି ଅନ୍ତର୍ଦ୍ୱନ୍ଦ୍ୱ ଚାଲିଥିଲା।
ପୂର୍ବରୁ ସିଦ୍ଧାରାମୈୟା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦଳ ଭିତରେ ଦାବି ଜୋର ଧରିଥିଲା। ଶେଷରେ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେବା ପରେ ଶିବକୁମାରଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପଦର ରାସ୍ତା ପ୍ରଶସ୍ତ ହୋଇଥିଲା।ରାଜ୍ୟପାଳ ଇସ୍ତଫାପତ୍ର ଗ୍ରହଣ କରିବା ସହ ପୂର୍ବତନ ମନ୍ତ୍ରିମଣ୍ଡଳକୁ ଭଙ୍ଗ କରିଥିଲେ। ଏହାପରେ ରାଜ୍ୟରେ ନୂଆ ସରକାର ଗଠନ ପାଇଁ ରାଜନୈତିକ ତତ୍ପରତା ବଢ଼ିଯାଇଥିଲା। ଶନିବାର ବେଙ୍ଗାଲୁରୁରେ ଆୟୋଜିତ କଂଗ୍ରେସ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଡି.କେ. ଶିବକୁମାରଙ୍କୁ ସର୍ବସମ୍ମତିକ୍ରମେ ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଥିଲା। ବୈଠକରେ ଦଳର କେନ୍ଦ୍ରୀୟ ନେତୃତ୍ୱ ମଧ୍ୟ ଉପସ୍ଥିତ ରହି ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଥିଲେ।ନେତା ଭାବେ ଚୟନ ହେବା ପରେ ଶିବକୁମାର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ଏବଂ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।
ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟାଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ।ଦଳ ଭିତରେ ଏକତା ଓ ସମନ୍ୱୟର ବାର୍ତ୍ତା ଦେବା ପାଇଁ ସମସ୍ତ ନେତା ଏକାଠି ଉପସ୍ଥିତ ରହିବାକୁ ରାଜନୈତିକ ମହଲରେ ଗୁରୁତ୍ୱର ସହ ଦେଖାଯାଉଛି। ନୂଆ ନେତୃତ୍ୱ ଅଧୀନରେ କର୍ଣ୍ଣାଟକରେ କଂଗ୍ରେସ ସରକାର କେଉଁଭଳି ଭାବେ ଶାସନ ପରିଚାଳନା କରିବ ଏବଂ ରାଜ୍ୟବାସୀଙ୍କ ଆଶା ଆକାଙ୍କ୍ଷା ପୂରଣ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଆସନ୍ତାକାଲି ଶପଥ ଗ୍ରହଣ ଉତ୍ସବ ସହିତ କର୍ଣ୍ଣାଟକ ରାଜନୀତିରେ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ ହେବାକୁ ଯାଉଛି।

