Thu. Jun 4th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷୁଥିବାବେଳେ ଉପକୂଳ ଓଡ଼ିଶା ଗରମ ସହ ଗୁଳୁଗୁଳିରେ ଛଟପଟ ହେଉଛି। ବୁଧବାର ଝାରସୁଗୁଡ଼ାରେ ସର୍ବାଧିକ ୪୬ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ ୪୫.୩ ଓ ହୀରାକୁଦରେ ୪୫ ଡିଗ୍ରୀ ସେଲସିୟସ୍ ରହିଥିଲା।ପାଣିପାଗ ବିଭାଗ ସତର୍କ କରାଇଛି ଯେ, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ତାତିରୁ କୌଣସି ନିସ୍ତାର ମିଳିବ ନାହିଁ।

ଗ୍ରୀଷ୍ମ ଲହରୀ, ଗୁଳୁଗୁଳି ଓ ଉଷ୍ମ ରାତି ନେଇ ଜନସାଧାରଣଙ୍କୁ ସତର୍କ କରାଯାଇଛି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲା ପ୍ରଶାସନ ଓ ବିଭାଗକୁ ସତର୍କତାମୂଳକ ପଦକ୍ଷେପ ନେବାକୁ କୁହାଯାଇଛି।ବୁଧବାର ରାଜ୍ୟର ୨୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ସେଥିରୁ ୮ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ଅତିକ୍ରମ କରିଥିଲା। ସୋନପୁରରେ ୪୩.୯, ବରଗଡ଼ରେ ୪୩.୮, ତାଳଚେରରେ ୪୩.୮, ଟିଟିଲାଗଡ଼ରେ ୪୩.୫ ଓ ବଲାଙ୍ଗୀରରେ ୪୩.୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିଲା। ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲେ ମଧ୍ୟ ଆର୍ଦ୍ରତା ଯୋଗୁ ଗରମ ଅଧିକ ଅନୁଭୂତ ହେଉଛି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଯାଜପୁର ଓ ଭଦ୍ରକରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଥିଲା।

ଦିନରେ ତାତି ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରୁଥିବାବେଳେ ରାତିରେ ମଧ୍ୟ ୨୮ରୁ ୨୯ ଡିଗ୍ରୀ ତାପମାତ୍ରା ରହୁଛି।ପାଣିପାଗ ବିଭାଗ ଅନୁସାରେ, ଗୁରୁବାରଠାରୁ ୨୪ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଓ ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିପାରେ। ସୁନ୍ଦରଗଡ଼ରେ ମଧ୍ୟ ଉଷ୍ମ ରାତି ଜାରି ରହିବା ଆଶଙ୍କା ରହିଛି। ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର ଓ ବୌଦ୍ଧରେ ହିଟ୍ ୱେଭ୍ ସ୍ଥିତି ରହିପାରେ।ଏହାସହ ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ବରଗଡ଼, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଗରମ ସହ ଗୁଳୁଗୁଳି ବଢ଼ିବା ଆଶଙ୍କା ରହିଛି।

ଆସନ୍ତା ୬ରୁ ୭ ଦିନ ଯାଏଁ ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ ବୋଲି ଆକଳନ କରାଯାଇଛି। କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ତତଲା ଶୁଖିଲା ପବନ ବହୁଥିବାବେଳେ ଉପକୂଳ ଅଞ୍ଚଳରେ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଛି। ଏଥିପାଇଁ ଉପକୂଳ ଅଞ୍ଚଳରେ ଶରୀରକୁ ୫୦ ଡିଗ୍ରୀ ଭଳି ତାତି ଅନୁଭୂତ ହେଉଛି। ସେ କହିଛନ୍ତି, ବର୍ତ୍ତମାନର ପାଣିପାଗ ମୌସୁମୀ ଆଗମନ ପୂର୍ବର ପରିବର୍ତ୍ତନ ସମୟ ହେତୁ ଏଭଳି ସ୍ଥିତି ଆହୁରି କିଛିଦିନ ଜାରି ରହିପାରେ।

Leave a Reply

Your email address will not be published. Required fields are marked *