Tue. Jun 23rd, 2026

ନ୍ୟୁଜ ଡେକ୍ସ : ଆଗାମୀ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଓ ପୂର୍ବ ପ୍ରସ୍ତୁତି ନିମନ୍ତେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏକ ସୁଦୃଢ଼ ଓ ନିର୍ଭରଯୋଗ୍ୟ ବ୍ୟବସ୍ଥା ଗଢ଼ି ତୋଳିଛି।ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି।

ଚଳିତ ବର୍ଷ କମ୍ ବର୍ଷା ହେବାର ଆଶଙ୍କା ଥିବାରୁ ଖରିଫ ଚାଷ ଉପରେ ଯେପରି ପ୍ରଭାବ ନ ପଡ଼େ, ସେଥିପାଇଁ କୃଷି, ଜଳସେଚନ ଓ ସମ୍ପୃକ୍ତ ବିଭାଗଗୁଡ଼ିକୁ ସମନ୍ୱିତ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କୃଷି ବିଭାଗକୁ ସ୍ୱତନ୍ତ୍ର ବିକଳ୍ପ ଯୋଜନା ପ୍ରସ୍ତୁତ ରଖିବାକୁ ମଧ୍ୟ କୁହାଯାଇଛି।ବର୍ଷା, ଜଳସ୍ତର, ଫସଲ ଯୋଜନା ଏବଂ ସାର ଓ ବିହନ ଯୋଗାଣ ଉପରେ ନିୟମିତ ନଜର ରଖିବା ପାଇଁ ରାଜ୍ୟସ୍ତରୀୟ ନିରୀକ୍ଷଣ ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି। ବିଶ୍ୱସ୍ତରରେ ସାର ସଙ୍କଟ ଦେଖାଦେବାର ଆଶଙ୍କା ଥିବାରୁ ୟୁରିଆ ଓ ଅନ୍ୟ ସାରର ଯୋଗାଣ ଉପରେ କଡ଼ା ନଜର ରଖିବା ସହ ପର୍ଯ୍ୟାପ୍ତ ନାନୋ ୟୁରିଆ ମହଜୁଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାରର କଳାବଜାରୀ ରୋକିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ନିରୀକ୍ଷଣ ସମିତି ଗଠନ କରାଯାଇଛି।ବିପର୍ଯ୍ୟୟ ସମୟରେ ଲୋକଙ୍କ ସୁରକ୍ଷା ପାଇଁ ରାଜ୍ୟର ୯୧୧ଟି ବହୁମୁଖୀ ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ନିମନ୍ତେ ପ୍ରତ୍ୟେକ ଆଶ୍ରୟସ୍ଥଳୀ ପାଇଁ ଛଅ ଲକ୍ଷ ଟଙ୍କା ଲେଖାଏଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ସେଠାରେ ପାନୀୟ ଜଳ, ଆଲୋକ ଓ ଖାଦ୍ୟ ବ୍ୟବସ୍ଥା ପୂର୍ବରୁ ସୁନିଶ୍ଚିତ କରାଯିବ।ଏହାସହ ଜରୁରୀ ସତର୍କବାର୍ତ୍ତା ପ୍ରେରଣ ବ୍ୟବସ୍ଥା, ଚବିଶ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଓ ସହାୟତା ସେବା ସମ୍ପୂର୍ଣ୍ଣ ସକ୍ରିୟ ରହିଛି।

ବିପର୍ଯ୍ୟୟ ସମୟରେ ଗୁଜବ ରୋକିବା ପାଇଁ ଗଣମାଧ୍ୟମ ଓ ସାମାଜିକ ମାଧ୍ୟମ ଜରିଆରେ ଲୋକଙ୍କୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ସୂଚନା ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।ବର୍ତ୍ତମାନ ରାଜ୍ୟରେ ୨୦ଟି ବିପର୍ଯ୍ୟୟ ମୁକାବିଲା ବାହିନୀ ଦଳ ଏବଂ ୩୪୭ଟି ଅଗ୍ନିଶମ କେନ୍ଦ୍ର ଆଧୁନିକ ଉପକରଣ ସହ ପ୍ରସ୍ତୁତ ରହିଛି। ଏହାଛଡ଼ା ଆହୁରି ୧୦ଟି ନୂତନ ବିପର୍ଯ୍ୟୟ ମୁକାବିଲା ବାହିନୀ ଗଠନ ପ୍ରକ୍ରିୟା ଜାରି ରହିଥିବା ସୂଚନା ମିଳିଛି। ରାଜ୍ୟ ସରକାର ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବୈଠକରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *