ନ୍ୟୁଜ ଡେକ୍ସ : ଘରୋଇ ପଡ଼ିଆରେ ଚାଲୁଥିବା FIH ପ୍ରୋ–ଲିଗ୍ରେ ଭାରତୀୟ ହକି ଦଳର ପରିଫର୍ମାନ୍ସ ଦର୍ଶକଙ୍କୁ ନିରାଶ କରିଛି। ପ୍ରଥମ ମ୍ୟାଚ୍ରେ ବେଲଜିୟମ୍ ଠାରୁ ପରାଜୟ ବରଣ କରିଥିବା ଭାରତ, ତୃତୀୟ ଦିନରେ ତା’ର ଦ୍ବିତୀୟ ମ୍ୟାଚ୍ରେ ଆର୍ଜେଣ୍ଟିନାଠାରୁ ମଧ୍ୟ ହାରି କ୍ରମାଗତ ଦ୍ବିତୀୟ ପରାଜୟ ସ୍ୱୀକାର କରିଛି।ଭାରତ–ଆର୍ଜେଣ୍ଟିନା ମ୍ୟାଚ୍କୁ ନେଇ ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ଦେଖାଯାଇଥିଲା।
ପାଖାପାଖି ୧୫ ହଜାର ଦର୍ଶକ ଷ୍ଟାଡିୟମ୍ରେ ଉପସ୍ଥିତ ରହି ମ୍ୟାଚ୍କୁ ଉପଭୋଗ କରିଥିଲେ। ସମସ୍ତ ୪ଟି ଷ୍ଟାଣ୍ଡ୍ରେ ଭିଡ଼ ଭରିଥିବା ବେଳେ, କେବଳ ଉତ୍ତର ଓ ଦକ୍ଷିଣ ଷ୍ଟାଣ୍ଡ୍ର ଗ୍ରାଉଣ୍ଡ୍ ଫ୍ଲୋରରେ ଅଳ୍ପ କମ୍ ଦର୍ଶକ ଦେଖିବାକୁ ମିଳିଥିଲା। ଅନେକେ ଭାରତୀୟ ଦଳର ଜର୍ସି ପିନ୍ଧି ଆସିଥିବା ବେଳେ, କେହି ଗାଲ୍ ଓ କପାଳରେ ତ୍ରିରଙ୍ଗା ଚିତ୍ର ଆଙ୍କିଥିଲେ। ବହୁ ଦର୍ଶକ ହାତରେ ଜାତୀୟ ପତାକା ଧରି ଭାରତୀୟ ଦଳକୁ ଉତ୍ସାହିତ କରୁଥିଲେ। ମ୍ୟାଚ୍ରେ ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳିଥିଲା, କିନ୍ତୁ ସୁଯୋଗକୁ ଗୋଲ୍ରେ ପରିଣତ କରିପାରିଲା ନାହିଁ। ଭାରତୀୟ ଦଳର ଅଧିନାୟକ ହର୍ମନ୍ପ୍ରୀତ ସିଂହ ଆଜିର ମ୍ୟାଚ୍ରେ ଦୁଇଟି ପେନାଲ୍ଟି ଷ୍ଟ୍ରୋକ୍ ସୁଯୋଗ ହାତଛାଡ଼ା କରିଥିଲେ। ପ୍ରଥମ କ୍ୱାର୍ଟରରେ ମିଳିଥିବା ପେନାଲ୍ଟିରେ ସେ ଗୋଲ୍ କରିପାରିନଥିଲେ।
ପରେ ଆର୍ଜେଣ୍ଟିନା ଗୋଲକିପରଙ୍କ ତ୍ରୁଟି ଯୋଗୁଁ ପୁଣିଥରେ ଷ୍ଟ୍ରୋକ୍ ନେବା ସୁଯୋଗ ମିଳିଥିଲା, କିନ୍ତୁ ସେଥିରେ ମଧ୍ୟ ଅଧିନାୟକ ବିଫଳ ହୋଇଥିଲେ। ଏହି ଦୁଇଟି ସୁନା ଅବସର ମିସ୍ ହେବା ଭାରତ ପାଇଁ ମ୍ୟାଚ୍ରେ ଟର୍ନିଂ ପଏଣ୍ଟ ସାବିତ୍ର ହୋଇଥିଲା।ମ୍ୟାଚ୍ରେ ଆର୍ଜେଣ୍ଟିନା ଦଳ ଅଧିକ ସୁଯୋଗକୁ ଗୋଲ୍ରେ ପରିଣତ କରି ଭାରତ ଉପରେ ଚାପ ସୃଷ୍ଟି କରିଥିଲା। ଏହି ମ୍ୟାଚ୍ରେ ଆର୍ଜେଣ୍ଟିନାର ତାରକା ମିଡଫିଲ୍ଡର ଜୋଆକ୍ବିନ ଟସ୍କାନି ଆଘାତପ୍ରାପ୍ତ ହୋଇଥିଲେ। ଗୋଲ୍ ବଞ୍ଚାଇବାକୁ ଯାଉଥିବା ସମୟରେ ତାଙ୍କ ମୁଣ୍ଡରେ ହକି ଷ୍ଟିକ୍ ବାଜି ମୁଣ୍ଡ ଫାଟିଯାଇଥିଲା।
ତୁରନ୍ତ ତାଙ୍କୁ ପଡ଼ିଆ ବାହାରକୁ ନେଇ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା ଏବଂ ସେ ଗୁରୁତର ନୁହେଁ ବୋଲି ଟିମ୍ ପକ୍ଷରୁ ସୂଚନା ମିଳିଛି। ଦର୍ଶକଙ୍କ ଭାରି ସମର୍ଥନ ସତ୍ତ୍ୱେ ଭାରତୀୟ ଦଳ ଘରୋଇ ପଡ଼ିଆରେ ଆଶାନୁରୂପ ପରିଫର୍ମାନ୍ସ ଦେଖାଇପାରିନଥିବାରୁ ଫ୍ୟାନ୍ମାନଙ୍କ ମଧ୍ୟରେ ନିରାଶା ଦେଖାଦେଇଛି। ପ୍ରୋ–ଲିଗ୍ରେ ଆଗାମୀ ମ୍ୟାଚ୍ଗୁଡ଼ିକରେ ଭାରତ କିପରି ଘୁରେଇ ଆସିବ, ସେଥିପାଇଁ ସମସ୍ତଙ୍କ ନଜର ଏବେ ଭାରତୀୟ ଦଳ ଉପରେ ରହିଛି।

