Wed. Oct 22nd, 2025

ନ୍ୟୁଜ ଡେକ୍ସ : ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଆସନ୍ତା ଅକ୍ଟୋବର ୨୧ ତାରିଖରେ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଆଗାମୀ ତିନି ଦିନ ବର୍ଷା ଓ ବଜ୍ରପାତ ସତର୍କତା ଜାରି କରାଯାଇଛି।

ବର୍ତ୍ତମାନ ଗୋଟିଏ ଘୂର୍ଣ୍ଣିବଳୟ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ବିକଶିତ ହୋଇଛି। ସମୁଦ୍ର ପତ୍ତନଠାରୁ ଏହାର ଉଚ୍ଚତା ପ୍ରାୟ ୧.୫ କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବରେ ୨୧ ତାରିଖ ପାଖାପାଖି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ।ପାଣିପାଗ ବିଭାଗ ଜଣାଇଛି ଯେ ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହୋଇ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ, ଏହାର ପ୍ରତ୍ୟକ୍ଷ ପ୍ରଭାବ ଓଡ଼ିଶା ଉପରେ ଅଧିକ ନ ହେବା ଆଶା କରାଯାଇଛି।

ଏହି ପରିସ୍ଥିତିରେ ଓଡ଼ିଶାରେ କାଁ-ଭାଁ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ କିଛି ଜାଗାରେ ବର୍ଷା ହୋଇପାରେ। ଆଗାମୀ ୨୪ ଘଣ୍ଟା ପାଇଁ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ମେଘଗଜନ ହୋଇପାରେ ଓ ଝଟକା ପବନର ବେଗ ୩୦ରୁ ୪୦ କିମି/ଘଣ୍ଟା ପର୍ଯ୍ୟନ୍ତ ରହିପାରେ।ଏହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *