ନ୍ୟୁଜ ଡେକ୍ସ: ପ୍ରେମ ହେଉଛି ଅନ୍ଧ | ଆଉ ସେହି ପ୍ରେମରେ ଅନ୍ଧ ହେଇକି ନିଜ ବାପାକୁ ହତ୍ୟା ଉଦ୍ୟମ କରିଥିଲା ଝିଅ | କାରଣ ଝିଅର ପ୍ରେମ ସମ୍ପର୍କରେ ବାଧା ସୃଷ୍ଟି କରୁଥିଲା ବାପା । ତେଣୁ ରାସ୍ତାରୁ କଣ୍ଟା ସଫା କରିବାକୁ ପ୍ରେମିକ ସହ ମିଶି ଯୋଜନା ପ୍ରସ୍ତୁତ କରିଥିଲା ଝିଅ। ଆଉ ଶେଷରେ ନିର୍ଦ୍ଦୟ ଝିଅ ବାପା ସମେତ ଛୋଟ ଭାଇ ଉପରେ ପକାଇଥିଲା ଏସିଡ ।
ଏଭଳି ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅନ୍ତର୍ଗତ ବୁଢ଼ା କୁନ୍ଦେଲି ଗାଁରେ | ଏହି ଘଟଣାରେ ପୁଲିସ ତଦନ୍ତ କରି ମୋହନ ପନ୍ଦରଙ୍କ ଝିଅ ପୁଷ୍ପାଞ୍ଜଳି ପନ୍ଦର ଓ ତାଙ୍କ ପ୍ରେମିକ ବିଜୟ ମାଝୀକୁ ଗିରଫ କରି ଜେଲ ପଠାଇଛି । ପୁଷ୍ପାଞ୍ଜଳି ପନ୍ଦର ହେଉଛନ୍ତି ମୋହନ ପନ୍ଦରଙ୍କ ପ୍ରଥମ ପତ୍ନୀଙ୍କ ଝିଅ। ସେ ବିଜୟ ମାଝୀଙ୍କୁ ଭଲ ପାଉଥିଲେ। ଝିଅର ଏହି ପ୍ରେମ ସମ୍ପର୍କକୁ ମୋହନ ପନ୍ଦର ବିରୋଧ କରି ଆସୁଥିଲେ । ଯାହାକୁ ନେଇ ଝିଅ ଓ ବାପାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଅସନ୍ତୋଷ ଲାଗି ରହିଥିଲା । କିଛି ଦିନ ପୂର୍ବରୁ ବିଜୟ ମାଝୀଙ୍କ ମା’ଙ୍କ ମୃତ୍ୟୁ ଘଟିଥିଲା । ମା’ଙ୍କ ମୃତ୍ୟୁ ପଛରେ ମୋହନ ପନ୍ଦର ଗୁଣି ଗାରେଡି କରିଥିବା ନେଇ ବିଜୟ ସନ୍ଦେହ କରି ଆସୁଥିଲେ । ଉଭୟ ପ୍ରେମିକା ଓ ପ୍ରେମିକ ମିଶି ମୋହନ ପନ୍ଦରଙ୍କ ଉପରେ ଏସିଡ୍ ଢ଼ାଳି ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ।
ପ୍ରେମିକ ସୁଦୂର କଲିକତାରୁ ଏସିଡ୍ ଆଣି ନିଜ ପ୍ରେମିକାକୁ ଦେଇଥିଲେ । ଆଉ ପୂର୍ବ ଯୋଜନା ମୁତାବକ, ରାତିରେ ଘର ବାହାରେ ଶୋଇଥିବା ବାପା ମୋହନ ଓ ତାଙ୍କ ପୁଅ ଉପରେ ଝିଅ ପୁଷ୍ପାଞ୍ଜଳି ଏସିଡ୍ ଢ଼ାଳି ଦେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ କରିବା ପରେ ପ୍ରକୃତ କାରଣ ଜଣା ପଡିବା ସହ ନିଜ ଝିଅ ଓ ତାର ପ୍ରେମିକା ହିଁ ଏଭଳି କାଣ୍ଡ ଭିଆଇଥିବା ବାଲିଗୁଡା ଏସଡ଼ିପିଓ କହିଛନ୍ତି। ପ୍ରେମିକ ନିକଟରୁ ବଳକା ଏସିଡକୁ ପୁଲିସ ଜବତ କରିଛି।