Sat. Feb 21st, 2026

ନ୍ୟୁଜ ଡେକ୍ସ : ଆଜି ସନ୍ଧ୍ୟା ୭ଟାରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତୀୟ ଦଳର ବିଜୟ କାମନାରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଟିମ୍।କୋଚ୍ ଗୌତମ ଗମ୍ଭୀରଙ୍କ ସମେତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ, ତାଙ୍କ ପତ୍ନୀ, ଜିତେଶ ଶର୍ମା ଓ ତିଲକ ବର୍ମା ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଛନ୍ତି।

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ରତ୍ନ ସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରିବାସହ ଅନ୍ୟାନ୍ୟ ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଦର୍ଶନ କରିଥିଲେ। ଏହି ଅବସରରେ ପୁରୀ ଜିଲ୍ଲାପାଳ ଓ ଏସପି ମଧ୍ୟ ଉପସ୍ଥିତ ଥିଲେ। ସିଂହଦ୍ୱାରରେ ସେବାୟତମାନେ ସମୂହ ଦୀପଦାନ କରିଥିଲେ।ସେପଟେ, ବାରବାଟୀ ମ୍ୟାଚ୍‌କୁ ନେଇ ଟ୍ବିନ୍ ସିଟି–କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମୋଟ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦର୍ଶକଙ୍କର ସହଜ ଯାତାୟାତ ପାଇଁ ବସ୍ ଚଳାଚଳ ଉପରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।

କଟକ ରେଳ ଷ୍ଟେସନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ବଢ଼ାଯାଇଛି। ଜିଆରପି ଓ ଆରପିଏଫ୍‌ର ୩୦ ଜଣିଆ ସ୍ବତନ୍ତ୍ର ଟିମ୍ ପ୍ଲାଟଫର୍ମରେ ନିୟୋଜିତ ହୋଇଛନ୍ତି। ଆଜି କଟକ ଷ୍ଟେସନରେ ମୋଟ ୧୧୦ଟି ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାର ସୂଚନା ମିଳିଛି।କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବର୍ତ୍ତମାନ ବାରବାଟୀ ମ୍ୟାଚ୍‌କୁ ନେଇ ଭାରି ଉତ୍ସାହ ଓ ଉତ୍ତେଜନା ଲକ୍ଷ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *