Sat. Feb 21st, 2026

ନ୍ୟୁଜ ଡେକ୍ସ : ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଟି–୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଶାନଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ସମ୍ପୂର୍ଣ୍ଣ ଏକତରଫା ଭାବରେ ପରାଜିତ କରିଛି। ଏହା ସହ ଟିମ୍‌ ଇଣ୍ଡିଆ ଏହାର ୯ମ ଥର ପାଇଁ ଆନ୍ତର୍ଜାତୀୟ ଟି–୨୦ ମ୍ୟାଚରେ ୧୦୦ ରନରୁ ଅଧିକ ବ୍ୟବଧାନରେ ବିଜୟ ହାସଲ କରିଛି। ୫ ମ୍ୟାଚ୍‌ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ଡିସେମ୍ବର ୧୧ରେ ଚଣ୍ଡୀଗଡରେ ଖେଳାଯିବ।ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍‌ ବିନିମୟରେ ୧୭୫ ରନ କରିଥିଲା।

ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଦମଦାର ଇନିଂସ୍‌ ଖେଳି ୨୮ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ କରି ଅପରାଜିତ ରହିଥିଲେ। ତିଳକ ବର୍ମା ୨୬ ରନ ଓ ଅକ୍ଷର ପଟେଲ ୨୩ ରନ କରି ଦଳକୁ ସମ୍ମାନଜନକ ସ୍କୋର ପହଞ୍ଚାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୩ଟି ଓ ଲୁଥୋ ସିପାମଲା ୨ଟି ୱିକେଟ୍‌ ନେଇଥିଲେ। ୧୭୬ ରନର ବିଜୟ ଲକ୍ଷ୍ୟ ପଛୁଆଇ ଖେଳିବାକୁ ଆସିଥିବା ଦକ୍ଷିଣ ଆଫ୍ରିକୀୟ ଦଳ ୧୨.୩ ଓଭରରେ ମାତ୍ର ୭୪ ରନ କରି ଅଲଆଉଟ୍‌ ହୋଇଯାଇଥିଲା। ଡେୱାଲ୍ଡ ବ୍ରେଭିସ ସର୍ବାଧିକ ୨୨ ରନ କରିଥିଲେ। ଭାରତୀୟ ବୋଲରଙ୍କ ନିଖୁଟ ବୋଲିଂ ଆଗରେ ୭ ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଲେ ନାହିଁ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ, ଯଶପ୍ରୀତ ବୁମରାହ, ବରୁଣ ଚକ୍ରବର୍ତି ଓ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ବୁମରାହ ତାଙ୍କର ଆନ୍ତର୍ଜାତୀୟ ଟି–୨୦ରେ ୧୦୦ତମ ୱିକେଟ ପୂରଣ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୦୦ତମ ଛକା ମାରି ଏକ ବିଶେଷ କୀର୍ତି ସ୍ଥାପନ କରିଛନ୍ତି।ଭାରତର ଏହି ଦମଦାର ବିଜୟରେ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକମାନେ ଜୋରଦାର ଉତ୍ସାହରେ ମାତିଯାଇଥିଲେ।

Leave a Reply

Your email address will not be published. Required fields are marked *