Mon. Jul 6th, 2026

ନ୍ୟୁଜ ଡେକ୍ସ : ବାରିପଦାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟି ଗାଡ଼ିର କୌଣସି ବୈଧ ଫିଟନେସ୍ ପ୍ରମାଣପତ୍ର ନଥିଲା। ଏହି ଘଟଣାକୁ ଗୁରୁତର ଭାବେ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସମ୍ପୃକ୍ତ ଦୁଇଟି ଗାଡ଼ିର ପଞ୍ଜୀକରଣ ରଦ୍ଦ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବିନା ଫିଟନେସ୍‌ରେ ଚଳାଚଳ କରୁଥିବା ଗାଡ଼ି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ଯାଞ୍ଚ ଅଭିଯାନକୁ ଅଧିକ କଡ଼ାକଡ଼ି କରିବାକୁ ଆଦେଶ ଦିଆଯାଇଛି।ରାସ୍ତାରେ ଚଳାଚଳ କରୁଥିବା ବିନା ଫିଟନେସ୍‌, ଅନୁପଯୋଗୀ ଏବଂ ବିପଦପୂର୍ଣ୍ଣ ଗାଡ଼ିଗୁଡ଼ିକୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ ପଞ୍ଜୀକରଣ ରଦ୍ଦ ସମେତ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ଜନସାଧାରଣଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ସଡ଼କ ସୁରକ୍ଷା ନିୟମର କଡ଼ା ପାଳନ ଉପରେ ଗୁରୁତ୍ୱ ଦେଉଛି। ଆଗାମୀ ଦିନରେ ବିନା ଫିଟନେସ୍‌, ବୈଧ ପଞ୍ଜୀକରଣ, ବୀମା ଓ ପରମିଟ୍ ବିନା ଚଳାଚଳ କରୁଥିବା ଗାଡ଼ି ବିରୋଧରେ ରାଜ୍ୟବ୍ୟାପୀ ସ୍ୱତନ୍ତ୍ର ଯାଞ୍ଚ ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *