Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଆଜିଠାରୁ ଆଧିକାରିକ ଭାବେ ଆରମ୍ଭ ହୋଇଛି। ଦଳୀୟ ଗଠନ ଓ ଆଗାମୀ ରାଜନୈତିକ ରଣନୀତି ଦୃଷ୍ଟିକୋଣରୁ ଏହି ନିର୍ବାଚନକୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ଆଜି ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଅଧ୍ୟକ୍ଷ ପଦ ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ନିଜ ନାମାଙ୍କନ ପତ୍ର ଦାଖଲ କରିବେ।ନାମାଙ୍କନ ଦାଖଲ ସମୟ ସମାପ୍ତ ହେବା ପରେ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ ନାମାଙ୍କନ ପତ୍ରଗୁଡ଼ିକର ଯାଞ୍ଚ ପ୍ରକ୍ରିୟା କରାଯିବ।

ଏହା ପରେ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ପ୍ରାର୍ଥୀମାନେ ଇଚ୍ଛାକରିଲେ ନିଜ ନାମାଙ୍କନ ପ୍ରତ୍ୟାହାର କରିପାରିବେ ବୋଲି ସୂଚନା ଦିଆଯାଇଛି।ଯଦି ଏକାଧିକ ପ୍ରାର୍ଥୀ ରହିଥାନ୍ତି ଏବଂ ସମ୍ମତି ସହ ନିଷ୍ପତ୍ତି ହୋଇନପାରେ, ତେବେ ଆବଶ୍ୟକତା ଅନୁଯାୟୀ ଆସନ୍ତାକାଲି ମତଦାନ କରାଯିବ। ମତଦାନ ପରେ ଆନୁଷ୍ଠାନିକ ଭାବେ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ନେଇ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ରାଜନୈତିକ ଚଞ୍ଚଳତା ଦେଖାଯାଉଛି।

ଦଳ ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ରାଜ୍ୟର ସଭାପତି ଏବଂ ବରିଷ୍ଠ ନେତାମାନେ ଉପସ୍ଥିତ ରହିବେ। ସମସ୍ତଙ୍କ ଉପସ୍ଥିତିରେ ଏକ ଆନୁଷ୍ଠାନିକ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯିବ।ଦଳୀୟ ସୂତ୍ର ଅନୁସାରେ, ଏହି ନିର୍ବାଚନ ପ୍ରକ୍ରିୟା ବିଜେପିର ଆଗାମୀ ରାଷ୍ଟ୍ରୀୟ ଏବଂ ରାଜ୍ୟସ୍ତରୀୟ ରଣନୀତିକୁ ନୂଆ ଦିଗ ଦେବାରେ ଗୁରୁତ୍ୱ ରଖିବ। ତେଣୁ ଦଳ ମଧ୍ୟରେ ଓ ରାଜନୈତିକ ମହଲରେ ଏହାକୁ ନେଇ ବିଶେଷ ଆଗ୍ରହ ପ୍ରକାଶ ପାଉଛି।

Leave a Reply

Your email address will not be published. Required fields are marked *