ନ୍ୟୁଜ ଡେକ୍ସ :ବିଜୁ ଜନତା ଦଳ (ବିଜେଡି) ଭିତରେ ଚାଲିଥିବା ଘରକଳି ଧୀରେ ଧୀରେ ତୀବ୍ର ରୂପ ନେଉଛି। ଦଳର ଦୁଇ ଜଣ ବିଧାୟକ ଚମ୍ପୁଆର ସନାତନ ମହାକୁଡ ଓ ପାଟକୁରାର ଅରବିନ୍ଦ ମହାପାତ୍ରଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ରାଜ୍ୟ ରାଜନୀତି ଏବେ ସରଗରମ ହୋଇଯାଇଛି। ଏହି ଅପ୍ରତ୍ୟାଶିତ ପଦକ୍ଷେପ ପରେ ବିଜେଡି ଭିତରେ କଣ ଚାଲିଛି ଏବଂ ଆଗକୁ କ’ଣ ହେବ ସେନେଇ ଅନେକ ପ୍ରଶ୍ନ ଉଠିଛି।
ଦଳୀୟ ନେତୃତ୍ୱ ତରଫରୁ ସସପେଣ୍ଡ ପଛରେ କାରଣ ସ୍ପଷ୍ଟ ଭାବେ ଘୋଷଣା ହୋଇନଥିବା ବେଳେ, ଏହାକୁ ନେଇ ଦଳ ମଧ୍ୟରେ ମତଭେଦ ଆହୁରି ଗଭୀର ହୋଇଛି। ବିଜେଡି ନେତା ଲେନିନ ମହାନ୍ତି ଏହି ଘଟଣାକୁ ନେଇ କଟୁ ମନ୍ତବ୍ୟ ଦେଇ କହିଛନ୍ତି ଯେ ଦଳକୁ ଦୁର୍ବଳ କରିବା ପାଇଁ ଏକ ଷଡଯନ୍ତ୍ର ହୋଇଥିଲା, ଯାହାକୁ ସମୟରେ ଧରାପଡ଼ାଯାଇଛି। ସେ ‘ମିଡ୍ ଡେ ଅପରେସନ ଫେଲ୍’ ଭାବରେ ଏହାକୁ ଉପହାସ କରି କହିଛନ୍ତି ଯେ ପୂର୍ବରୁ ‘ମିଡ୍ ନାଇଟ ଅପରେସନ’ ବି ଫେଲ୍ ହୋଇଥିଲା, ଆଗକୁ ଯେ କୌଣସି ଚେଷ୍ଟା ହେଲେ ତାହା ମଧ୍ୟ ସଫଳ ହେବ ନାହିଁ। ଲେନିନ ମହାନ୍ତିଙ୍କ ଅଭିଯୋଗ ଅନୁସାରେ, କିଛି ନେତା ଦୀର୍ଘଦିନ ଧରି ବିଜେଡିକୁ ଦୁର୍ବଳ କରିବା ଯୋଜନାରେ ଲାଗିଥିଲେ ଏବଂ ସନାତନ ମହାକୁଡ ଓ ଅରବିନ୍ଦ ମହାପାତ୍ର ଏହାର ଅଂଶ ଥିଲେ।
ଦୁର୍ନୀତି ଓ ବିଶ୍ୱାସଘାତକତା ଆଧାରରେ ମାସମାସ ଧରି ବିଚାର ପରେ ଦଳ ଏହି କଠୋର ପଦକ୍ଷେପ ନେଇଛି ବୋଲି ସେ କହିଛନ୍ତି।ତେବେ ଲେନିନଙ୍କ ଏହି ଅଭିଯୋଗକୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସର୍ବସାଧାରଣରେ ଚ୍ୟାଲେଞ୍ଜ କରିଛନ୍ତି। ସେ ସଫାସଫା କହିଛନ୍ତି ଯେ ଅଭିଯୋଗ ଥିଲେ ତାହାର ପ୍ରମାଣ ଦିଆଯାଉ। କେଉଁଦିନ, କେଉଁଠି, କାହା ସହ ବସିଥିଲେ ସବୁ ତଥ୍ୟ ସହିତ ଆସିବାକୁ ସେ ଲେନିନଙ୍କୁ ଆହ୍ୱାନ ଦେଇଛନ୍ତି। ନିଜକୁ ମାତ୍ର ଦେଢ଼ ବର୍ଷର ବିଧାୟକ ବୋଲି ଉଲ୍ଲେଖ କରି, ଅଭିଯୋଗ ପ୍ରମାଣିତ କରିବା ଦାୟିତ୍ୱ ଦଳର ବୋଲି ସେ କହିଛନ୍ତି।
ଏହାସହ ନିଜ ପିତାଙ୍କୁ ଅଯଥାରେ ବିବାଦରେ ଟାଣାଯାଉଥିବା ଅଭିଯୋଗ କରି, ଅରବିନ୍ଦ ସ୍ପଷ୍ଟ କରିଛନ୍ତି ଯେ ସେ କେବେ ବି ଅଲଗା ଦଳ ଗଠନ କଥା ଭାବିନାହାନ୍ତି ଏବଂ ୨୦୨୯ ପର୍ଯ୍ୟନ୍ତ ପାଟକୁରାର ବିଧାୟକ ଭାବେ ରହିବେ। ଲେନିନ ଓ ଅରବିନ୍ଦଙ୍କ ଏହି କଥାକଟାକଟି ପରେ ବିଜେଡିର ଭିତର ଅସନ୍ତୋଷ ଖୋଲା ଆକାଶକୁ ଆସିଛି। ଦଳ ଏବେ ପ୍ରମାଣ ସହ ସ୍ପଷ୍ଟିକରଣ ଦେବ କି, ନା ଏହି ଘରକଳି ଆହୁରି ଗଭୀର ହେବ ସେଥିପାଇଁ ସମଗ୍ର ରାଜ୍ୟର ରାଜନୈତିକ ମହଳ ଏବେ ଅପେକ୍ଷାରେ ରହିଛି।

