Sat. Feb 21st, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକରେ ଶୁକ୍ରବାର ଦିନ ଦୁପର ୧୨ଟା ସମୟରେ ଜଣେ କର୍ତ୍ତବ୍ୟରତ ମହିଳା ବିଡିଓଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟିଥିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି। ଜଣେ ସ୍ଥାନୀୟ ନେତାଙ୍କ ସହ ୩୦ରୁ ଅଧିକ ସମର୍ଥକ ରାଜନଗର ବ୍ଲକ ବିଡିଓ ତିଳୋତମା ପୃଷ୍ଟିଙ୍କ ଚାମ୍ବରରେ ଜବରଦସ୍ତି ପ୍ରବେଶ କରି ଦବଙ୍ଗଗିରି ଦେଖାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ବିଡିଓଙ୍କୁ ଘେରି ବେଆଇନ ଭାବେ ବିଲ୍ ପାସ୍ କରିବା ଓ କାମ କରିବାକୁ ଚାପ ସୃଷ୍ଟି କରିଥିଲେ। ସରକାରୀ ନିୟମ ଅନୁଯାୟୀ ଯେତେ କାମ ହୋଇଛି ସେତେଟା ମାତ୍ର ବିଲ୍ ହେବ ବୋଲି ବିଡିଓ କହିବାରୁ ସେମାନେ ଉତକ୍ଷିପ୍ତ ହୋଇ ବଚସା କରିଥିଲେ। ଏହାପରେ ତାଙ୍କ କଥା ନମାନିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଧମକ ଦିଆଯାଇଥିଲା। ଏପରିକି ଲାପଟପ୍ ଉଠାଇ ମାରିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ମଧ୍ୟ ଆସିଛି।ଏହି ସମସ୍ତ ଘଟଣା ବ୍ଲକ କାର୍ଯ୍ୟାଳୟରେ ଲଗାଯାଇଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଘଟଣା ପରେ ବିଡିଓ ତିଳୋତମା ପୃଷ୍ଟି ଏନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅନ୍ୟପଟେ, ଏହି ଘଟଣାକୁ କଠୋର ଭାବେ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ସେ ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ ଓଡ଼ିଶାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ଏବଂ ମହିଳାମାନେ ଅସୁରକ୍ଷିତ। ରାଜନଗରରେ ଜଣେ କର୍ତ୍ତବ୍ୟରତ ମହିଳା ବିଡିଓଙ୍କ ଉପରେ ହୋଇଥିବା ଆକ୍ରମଣ ରାଜ୍ୟରେ ମହିଳା ସୁରକ୍ଷାର ସ୍ଥିତିକୁ ସ୍ପଷ୍ଟ କରୁଛି ବୋଲି ସେ ଲେଖିଛନ୍ତି।ଜଣେ ମହିଳା ଅଧିକାରୀଙ୍କୁ ଏଭଳି ଆକ୍ରମଣ ଘଟଣା ପ୍ରଶାସନିକ ମହଳ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଗଭୀର ଉଦବେଗ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *