Fri. Feb 27th, 2026

ନ୍ୟୁଜ ଡେକ୍ସ : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସରେ ଗୃହରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଥିଲା। ମନ୍ଦିର ଅନୁଦାନ ଓ ଅଙ୍ଗନବାଡ଼ି କେନ୍ଦ୍ରର ଢାଞ୍ଚାଗତ ସମସ୍ୟାକୁ ନେଇ ଗୃହରେ ତୀବ୍ର ଆଲୋଚନା ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି ଆଇନ ମନ୍ତ୍ରୀ ପୃଥ୍ବୀରାଜ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟ ସରକାର ୪,୧୪୫ଟି ମନ୍ଦିରର ଆର୍ଥିକ ଅନୁଦାନ ବୃଦ୍ଧି କରିଛନ୍ତି।

ଆଇନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ପୂର୍ବରୁ ମନ୍ଦିର ଅନୁଦାନ ପାଇଁ ୫ କୋଟି ଟଙ୍କା ବ୍ୟବସ୍ଥା ଥିବା ବେଳେ ଏବେ ଏହାକୁ ସାଢେ ୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅର୍ଥାତ୍ ଦେବାଦେବୀ ଓ ମନ୍ଦିର ପରିଚାଳନା ପାଇଁ ରାଜ୍ୟ ସରକାର ଅଢ଼େଇ କୋଟି ଟଙ୍କା ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଦେବୋତ୍ତର ବିଭାଗ ଅଧୀନରେ ବର୍ତ୍ତମାନ ରାଜ୍ୟରେ ୧୮ ହଜାରରୁ ଅଧିକ ମନ୍ଦିର କାର୍ଯ୍ୟରତ ରହିଛି।ସେହିପରି ଗୃହରେ ମହିଳା ଓ ଶିଶୁ ବିକାଶ ବିଭାଗ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତଥ୍ୟ ରଖି କହିଛନ୍ତି ଯେ, ଓଡ଼ିଶାରେ ୨୦,୧୫୦ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ। ବର୍ତ୍ତମାନ ୭,୩୮୯ଟି ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଗୃହ ନିର୍ମାଣ କାମ ଚାଲିଛି। ଏହା ସହିତ ୩,୮୯୦ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ା ଘରେ ଚାଲୁଥିବା ବୋଲି ସେ ସୂଚନା ଦେଇଛନ୍ତି। ଏନେଇ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର ବଜେଟରେ ବ୍ୟବସ୍ଥା ନଥାଇ ସରକାର କିପରି ଅଙ୍ଗନବାଡ଼ି କେନ୍ଦ୍ରର କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଥିଲେ।

ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ବଜେଟରେ ବ୍ୟବସ୍ଥା ନଥାଇ କାମ କରିବା ସରକାରର ନୀତି ନୁହେଁ। ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଅତିରିକ୍ତ ବଜେଟରେ ସମସ୍ତ ଆର୍ଥିକ ବନ୍ଦୋବସ୍ତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି।ମନ୍ଦିର ଅନୁଦାନ ବୃଦ୍ଧି ଓ ଅଙ୍ଗନବାଡ଼ି ଢାଞ୍ଚାଗତ ସମସ୍ୟାକୁ ନେଇ ଗୃହରେ ହୋଇଥିବା ଏହି ଆଲୋଚନା ଏବେ ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *