ନ୍ୟୁଜ ଡେକ୍ସ: ହଟିଲା ସାମ୍ବାଦିକଙ୍କ ମୋବାଇଲ କଟକଣା । ଯାହାପରେ ଧାରଣାରୁ ହଟିଛନ୍ତି ସାମ୍ବାଦିକ । ଏନେଇ ସାମ୍ୱାଦିକଙ୍କ ସହ ଆଲୋଚନା କରିବା ପରେ ବାଚସ୍ପତି ଏହି ନିଷ୍ପତ୍ତି ନେଇଛନ୍ତି । ଏହାପରେ ସାମ୍ବାଦିକମାନେ ଧାରଣାରୁ ପ୍ରତ୍ୟାହୃତ ହୋଇଛନ୍ତି । ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ୍ ନେଇପାରିବେ, ହେଲେ କୌଣସି ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି ।
କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋ ଉଠାଇପାରିବେନି କିମ୍ବା ଭିଡିଓ ରେକର୍ଡିଂ କରିପାରିବେନି । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମଙ୍ଗଳବାର ଦିନ ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହାତାହାତି ହୋଇଥିଲା । ଏହାପରେ ଗୃହରେ ଆରମ୍ଭ ହେଇଯାଇଥିଲା ବିଧାୟକମାନଙ୍କର ଗଣ୍ଡଗୋଳ । ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଗଣତନ୍ତ୍ର ମନ୍ଦିରରେ ବିଧାୟକମାନଙ୍କ ଏଭଳି ବିଶୃଙ୍ଖଳିତ ଆଚରଣ କେହି ଜଣେ ରେକର୍ଡ କରିଥିଲା ।
ଯାହାର ଭିଡିଓ ଗଣମାଧ୍ୟମ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଏହା ପରେ ବିଧାୟକମାନଙ୍କ ଏଭଳି ଆଚରଣ ପାଇଁ ନିନ୍ଦା କରାଗଲା। ଯାହାପରେ ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ ନେଇ ଯିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର। ଏହାକୁ ପ୍ରତିବାଦ କରି ସାମ୍ୱାଦିକ ମାନେ ପ୍ରେସ୍ ଗ୍ୟାଲେରୀକୁ ଯାଇ ନଥିଲେ ଏବଂ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।

