ନ୍ୟୁଜ ଡେକ୍ସ : ଶ୍ରୀମନ୍ଦିର ର ଭିତର ରତ୍ନଭଣ୍ଡାର ଗଣତି ମଣତିର ଦ୍ୱିତୀୟ ଦିବସ ଗୁରୁବାର ସମ୍ପନ୍ନ ହୋଇଛି। ଏହି ସମୟରେ ଦୀର୍ଘ ୭ ଘଣ୍ଟା ଧରି ଗଣତି ଓ ମେଳକ କାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି ଯେ, ମାର୍ଚ୍ଚ ୨୫ ରେ ପ୍ରଥମେ ଚଳନ୍ତି ରତ୍ନଭଣ୍ଡାରର ଗଣତି ମଣତି କରାଯାଇଥିଲା। ପରେ ଏପ୍ରିଲ ୮ ରୁ ୧୧ ପର୍ଯ୍ୟନ୍ତ ବାହାର ରତ୍ନଭଣ୍ଡାରର ଗଣତି ମଣତି ଶେଷ କରାଯାଇଥିଲା।
ଗତ ୧୩ ତାରିଖରୁ ତୃତୀୟ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାରର ଗଣତି ମଣତି ଆରମ୍ଭ ହୋଇ ଏବେ ସପ୍ତମ ଦିନକୁ ପହଞ୍ଚିଛି।ଗୁରୁବାର ଦିନ ଦୁପୁର ୧୨ଟା ୨୫ ମିନିଟ୍ରେ ତାଲା ଖୋଲାଯାଇ ଗଣତି ମଣତି ଆରମ୍ଭ ହୋଇଥିଲା ଏବଂ ସନ୍ଧ୍ୟା ୭ଟା ୧୫ ମିନିଟ୍ରେ କାର୍ଯ୍ୟ ଶେଷ ହୋଇଥିଲା। ୧୯୭୮ ତାଲିକା ଅନୁସାରେ ସମସ୍ତ ରତ୍ନ ଅଳଙ୍କାରର ଗଣତି ଓ ମେଳକ କରାଯାଉଛି।
ସମସ୍ତ କାର୍ଯ୍ୟ ସ୍ୱଚ୍ଛତା ଓ ନିର୍ଭୁଲତା ସହ କରାଯାଉଥିବା ବେଳେ ଓଜନ ମାପ, ଫଟୋଗ୍ରାଫି, ଭିଡିଓଗ୍ରାଫି ସହିତ ଥ୍ରୀଡି ସ୍କାନିଂ ମଧ୍ୟ କରାଯାଉଛି। ତେବେ କେତେ ପ୍ରତିଶତ କାମ ଶେଷ ହୋଇଛି ତାହା ଏହି ମୁହୂର୍ତ୍ତରେ କହିବା ସମ୍ଭବ ନୁହେଁ ବୋଲି ପ୍ରଶାସକ ସୂଚନା ଦେଇଛନ୍ତି।ଏହାସହ ଚନ୍ଦନ ଯାତ୍ରା ପାଇଁ ଆଗାମୀ ଦିନରେ ଏହି ଗଣତି ମଣତି କାର୍ଯ୍ୟ କିଛି ସମୟ ପାଇଁ ବନ୍ଦ ରହିବ ବୋଲି ସୂଚନା ମିଳିଛି।

