ନ୍ୟୁଜ ଡେକ୍ସ: ରାଜଧାନୀରୁ ପିଲା ଚୋରିର ସାଂଘାତିକ ଅଭିଯୋଗ । ଦେଢ ବର୍ଷର ଶିଶୁ ପୁତ୍ରକୁ ମାଆ କୋଳରୁ ନେଇଯାଇଛନ୍ତି ଦୁର୍ବୃତ୍ତ । ବିସ୍କୁଟ,ଜୁସ୍ ଓ ମୋବାଇଲର ଲୋଭ ଦେଖାଇ ଜଣେ ଦୃଷ୍ଟିବାଧିତ ମାଆର ଶିଶୁ ପୁତ୍ରକୁ ନେଇଯାଇଛନ୍ତି ଦୁର୍ବୃତ୍ତ।
ଏପରି ଅଭିଯୋଗ ଆଣିଛନ୍ତି ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରିଥିବା ଜଣେ ଦିବ୍ୟାଙ୍ଗ ମହିଳା ।ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ କରିଛନ୍ତି ଦୃଷ୍ଟିବାଧିତ ମାଆ । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଖାରାବେଳ ନଗର ଥାନା ପୋଲିସ । ମାଆର ଅଭିଯୋଗ ଅନୁସାରେ, ସେ ପୂର୍ବରୁ ଅନେକ ଦିନ ଧରି ରାମ ମନ୍ଦିର ଆଗରେ ବସି ଭିକ୍ଷାବୃତ୍ତି କରିଆସୁଥିଲେ । ହଠାତ୍ ଶନିବାର ରାତି ୧୨ଟାରୁ ୨ଟା ପର୍ଯ୍ୟନ୍ତ ଜଣେ ବ୍ୟକ୍ତି ଉକ୍ତ ମହିଳା ଓ ତାଙ୍କର ଦେଢ଼ ବର୍ଷର ଶିଶୁ ପୁତ୍ର ଉପରେ ନଜର ରଖିଥିଲା ।
ତାପରେ ବ୍ୟକ୍ତି ଜଣକ ପାଖକୁ ଆସି ଛୁଆଟିକୁ ଖାଇବାକୁ ଦେବା ସହ ଜୁସ୍ ଦେଇ ଲୋଭ ଦେଖାଇଥିଲା ଏହା ପରେ ମୋବାଇଲ୍ ଫୋନ ଦେଖାଇ ପିଲାକୁ ଅପହରଣ କରିଥିଲା । ତେବେ ଅଙ୍ଗ ତସ୍କରି ପାଇଁ ପିଲାଟିକୁ ଅପହରଣ କରିନେଇଥିବା ଅଭିଯୋଗ କରିଛନ୍ତି ମାଆ । ଏହା ସହ ପିଲାକୁ ତୁରନ୍ତ ଖୋଜି ଆଣି ତାଙ୍କ ନିକଟରେ ଦେବାକୁ ପିଲାର ମାଆ ଗଣମାଧ୍ୟମ ଆଗରେ ଅନୁରୋଧ କରିଛନ୍ତି ।
ଅଭିଯୋଗ ଆଧାରରେ ତନାଘନା ଆରମ୍ଭ କରିଛି ପୋଲିସ । ସହରରେ ଲାଗିଥିବା ସିସିଟିଭିକୁ ତନ୍ନତନ୍ନ କରି ଯାଞ୍ଚ କରିଛି ପୋଲିସ । ଦୁର୍ବୃତ୍ତମାନେ ଦେଢ ବର୍ଷର ଶିଶୁ ପୁତ୍ରକୁ ନେବା ପରେ ଏକ ଗାଡିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବା ଦେଖିବାକୁ ମିଳିଛି ।
